Latest Odisha News

ସବୁ ପ୍ରତୀକ୍ଷାର ଅନ୍ତ କରି ଶେଷରେ ଘରକୁ ଫେରିବେ ଶ୍ରମିକ, ଖୁସିରେ ପରିବାର ଲୋକେ ପାଳିଲେ ଦୀପାବଳି

ଉତ୍ତରାଖଣ୍ଡ: ଶତାବ୍ଦୀର ସବୁଠାରୁ ବଡ ରେସକ୍ୟୁ ଅପରେଶନ । ୪ଶହରୁ ଅଧିକ ଘଣ୍ଟାର ମହା ଅପରେସନ୍ । ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା । ୭ରୁ ଅଧିକ ଏଜେନ୍ସିର ଅକ୍ଲାନ୍ତ ପରିଶ୍ରମ ପରେ ଅନ୍ଧାରୀ ଟନେଲ ଭିତରୁ ରକ୍ଷା ପାଇଲା ୪୧ ଜୀବନ । ସବୁ ପ୍ରତୀକ୍ଷାର ଅନ୍ତ କରି ଶେଷରେ ଘରକୁ ଫେରିବେ ଶ୍ରମିକ । ଦୀର୍ଘ ୧୭ଦିନ ଧରି ମୃତ୍ୟୁର ପାଦ ଦେଶରେ ଥିବା ସେହି ୪୧ ଶ୍ରମିକ ଶେଷରେ ଘରକୁ ଫେରିବେ । ସେଥିପାଇଁ ସମସ୍ତଙ୍କ ପରିବାରରେ ଏବେ ଖୁସିର ମାହୋଲ । ଥୟ ଧରୁନି ଆଖିର ସେହି ଅମାନିଆ ଅଶ୍ରୁ । ଖୁସିରେ ପରିବାର ଲୋକଙ୍କ ଆଖିରୁ ଛୁଟି ଆସୁଛି କୋହଭରା ଲୁହ ।

ଏ ହେଉଛି ସେହି ଦିନର କଥା, ଯେତେବେଳେ ଦେଶର ସବୁ କୋଣରେ ଲୋକମାନେ ବାଣ ଫୁଟାଇ, ଦୀପ ଜାଳି ଦୀପାବଳି ଉତ୍ସବ ପାଳନ କରୁଥିଲା ସେତେବଳେ ଏହି ୪୧ ଶ୍ରମିକଙ୍କ ପରିବାରକୁ ଘୋଟି ଆସିଥିଲା ଅମାବସ୍ୟା ରାତିର ସେହି କଳା ଅନ୍ଧାର । କିଛି କ୍ଷଣ ଭିତରେ ସତେ ଯେପରି ଓଲଟପାଲଟ ହୋଇଯାଇଥିଲା ସବୁ କିଛି । କିନ୍ତୁ ଅମାବାସ୍ୟାରେ ଆସିଥିବା ସେହି କଳା ଅନ୍ଧାରକୁ ଦୁର କରିଥିଲା ପୂର୍ଣ୍ଣିମାର ସେହି ଉଜ୍ଜ୍ଵଳ ଚନ୍ଦ୍ର କିରଣ । ଦୀର୍ଘ ୧୭ଦିନ ଧରି ମୃତ୍ୟୁର ପାଦ ଦେଶରେ ଥିବା ସେହି ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ କରାଗଲା ଉଦ୍ଧାର ।

ହେଲା ସବୁ ପ୍ରତୀକ୍ଷାର ଅନ୍ତ । ଏବେ କେବଳ ଅପେକ୍ଷା, କେତେବେଳେ ଘରକୁ ଫେରିବେ ଏହି ଶ୍ରମିକ ମାନେ । ସେଥିପାଇଁ ଏବେ ସେହି ପରିବାରରେ ପାଳନ କରାଯାଉଛି ଦୀପାବଳି । ଖୁସିରେ ପରିବାର ଲୋକ ବାଣ ଫୁଟାଇ ଦୀପ ଜାଳି ଅପେକ୍ଷା କରି ବସିଛନ୍ତି ସେମାନଙ୍କୁ । ପୁଅକୁ ଟିକେ ଦେଖିବାକୁ ସତେ ଯେପରି ବିକଳ ହୋଇପଡିଛି ସେହି ମା’ର ଆଖି । ସ୍ଵାମୀର ଫେରିବା ବାଟକୁ ଅପେକ୍ଷା କରିବସିଛି ସ୍ତ୍ରୀ ଟିଏ । ସେପଟେ ବାପାକୁ ଟିକେ ଦେଖିବାକୁ ବିକଳରେ ଚାହିଁ ବସିଛନ୍ତି ପୁଅଝିଅ ।

ଗତ ୧୩ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪୧ ଜଣ ଶ୍ରମିକ ଟନେଲ ଭିତରେ ଫସିଯାଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ସବୁପ୍ରକାର ଉଦ୍ୟମ କରିଥିଲେ । ଟନେଲ କାଟିବାକୁ ବିଭିନ୍ନ ପ୍ରକାର ଏକ୍ସପର୍ଟଙ୍କ ନିର୍ଦ୍ଦେଶରେ ଅନେକ ସ୍ଥାନରୁ ବିଭିନ୍ନ ମେସିନ ମଗାଯାଇଥିଲା । ହେଲିକପଟର ଓ ଏୟାରଫୋର୍ସର ବିମାନକୁ ବି ଲଗାଯାଇଥିଲା । ଏସଡିଆରଏଫ, ବିଆରଓ, ଆଇଟିବିପି, ବାୟୁସେନାଠୁ ଆରମ୍ଭ କରି ପୋଲିସ ପ୍ରଶାସନ ଉଦ୍ଧାର କାମରେ ଲାଗିପଡିଥିଲେ । ଅନେକ ପ୍ରତିବନ୍ଧକର ସାମ୍ନା କରି ଦୀର୍ଘ ୧୭ଦିନ କାଳ ଅପ୍ରାଣ ଚେଷ୍ଟା କରିଥିଲେ ଉଦ୍ଧାରକାରୀ ଦଳ । ଯେଉଁଠି ସବୁ ପ୍ରକାର ମେସିନ ହାର ମାନିଥିଲା ସେଠି ଜୀବନ ବଞ୍ଚାଇଦେଲା ରାଟ୍‌ ହୋଲ୍‌ ମାଇନର୍ସ । ରାଟ୍‌ ହୋଲ୍‌ ମାଇନର୍ସର ଉଦ୍ୟମ ଜରିଆରେ ଶେଷରେ ଉଦ୍ଧାର ହେଲେ ଫସିଥିବା ୪୧ ଶ୍ରମିକ । ଉଦ୍ଧାର ପରେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ତେବେ ଆସନ୍ତାକାଲି ସୁଦ୍ଧା ସମସ୍ତେ ନିଜ ଘରେ ପହଞ୍ଚିବା ନେଇ ସୂଚନା ମିଳିଛି ।

Comments are closed.