ଭୁବନେଶ୍ୱର: ସରକାରୀ ଗସ୍ତ ବେଳେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପାଣ୍ଡିଆନଙ୍କ ପାଦକୁ ଦୁଇ ଜଣ ମହିଳା ସର୍ବସମ୍ମୁଖରେ ଧୋଇ ଦେଉଥିବାର ଦେଖିବାକୁ ମିଳିଛି। ଆଉ ପାଖରେ ଅନେକ ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏକ ଖଟୁଲିରେ ବା ପିଢା ଉପରେ ପାଣ୍ଡିଆନ ଛିଡା ହୋଇଛନ୍ତି। ଆଉ ଦୁଇ ଜଣ ମହିଳା ଫାଇଭ-ଟି ସଚିବଙ୍କର ପାଦକୁ ପାଣିରେ ଧୋଇ ଦେଉଥିବାର ନଜିର ରହିଛି।
ସାଧାରଣତଃ ଓଡ଼ିଆ ପରମ୍ପରାରେ କୌଣସି ଗୁରୁଜନ ବା ଅତିଥିଙ୍କୁ ଘରେ ସ୍ୱାଗତ କରିବା ବେଳେ ଏପରି ଚର୍ଚ୍ଚା ବା ସମ୍ମାନ ଦିଆଯାଇଥାଏ। କିନ୍ତୁ ଜଣେ ସରକାରୀ ଅଧିକାରୀଙ୍କୁ ଏପରି ସ୍ୱାଗତ କରିବା ଏହା ପ୍ରାୟୋଜିତ ନା ପରମ୍ପରା ଅନୁଯାୟୀ କରାଯାଇଛି ତାକୁ ନେଇ ଚର୍ଚ୍ଚା ବଢ଼ିଛି।
ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଗସ୍ତ ବେଳେ ଫାଇଭ-ଟି ସଚିବଙ୍କର ଏହି ଫଟୋଟି ରହିିଛି। ଶୁକ୍ରବାର ଏବଂ ଶନିବାର ଫାଇଭ ଟି ସଚିବ ଏହି ଗସ୍ତ କରିଥିଲେ। ଏହି ଫଟୋଟି ନବରଙ୍ଗପୁର ବ୍ଲକ ମାଣ୍ଡାଡଙ୍ଗରୀର। ଫାଇଭ ଟି ସଚିବ ମନ୍ଦିର ଦର୍ଶନ କରିବା ସହିତ କିଛି ଲୋକଙ୍କ ସହ ସ୍ଥାନୀୟ ଅଞ୍ଚଳର ବିକାଶ ବାବଦରେ ଆଲୋଚନା କରୁଥିବାର ନଜରି ରହିଛି।
ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏହାକୁ ନେଇ ସଂପୃକ୍ତ ଆଇଏଏସ ଅଧିକାରୀଙ୍କୁ ସମାଲୋଚନା କରିଛନ୍ତି। ଯଦି ଫାଇଭ-ଟି ସଚିବ ରାଜନୀତି କରିବାକୁ ଚାହୁଁଛନ୍ତି ସେ ଆସନ୍ତୁ ତାଙ୍କୁ କେହି ବିରୋଧ କରିବେ ନାହିଁ। କିନ୍ତୁ ରାଜନୀତି କରିବା ପାଇଁ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି।
କଂଗ୍ରେସର ବରିଷ୍ଠ ନେତା ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଫାଉଭ-ଟି ସଚିବଙ୍କ ଉପରେ ବର୍ଷିଛନ୍ତି। ସାଲୁଜା କହିଛନ୍ତି, ବୁକ୍ ସର୍କୁଲାର 47ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ଅଫିସରମାନେ ବିଧାୟକ କିମ୍ବା ଜନପ୍ରତିନିଧିଙ୍କୁ ଗ୍ରହଣ କରିବେ। ସେମାନେ ସେମାନଙ୍କ ଫୋନ୍ କଲ୍ ଉଠାଇବେ ଏବଂ ସେମାନେ ସେଗୁଡ଼ିକୁ ବନ୍ଦ ଦେଖିବେ। କିନ୍ତୁ ଏହି ସରକାର ସମୟରେ ବିଧାୟକ ଓ ମନ୍ତ୍ରୀମାନେ ଅଫିସରମାନଙ୍କୁ ଜଗି ରହି ଗଣତନ୍ତ୍ରକୁ ବଦନାମ କରୁଛନ୍ତି। ଅଫିସରଙ୍କୁ ସୁରକ୍ଷା ଦେଉଥିବା ରାଜନୈତିକ ନେତାଙ୍କ ପାଇଁ ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟଜନକ।
ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଫାଇଭ-ଟି ସଚିବଙ୍କୁ ଲୋକେ ଭେଟିବା କ’ଣ ଭୁଲ୍। ଆଉ ଯଦି ରାଜନୈତିକ ବ୍ୟକ୍ତି ସାଂସଦ ଓ ବିଧାୟକମାନେ ତାଙ୍କୁ ଭେଟିଥିଲେ, ହୁଏତ ତାଙ୍କ ସହ କିଛି ବ୍ୟକ୍ତିଗତ କାମ ଥାଇପାରେ। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ସେ ରାଜ୍ୟରେ ଶାସନ କରୁଛନ୍ତି। ତାଙ୍କ ଉପରେ କେହି ନାହାନ୍ତି।
ଉଲ୍ଲେଖଯୋଗ୍ୟ, ଏବେ ଫାଇଭ ଟି ସଚିବ ବିଭିନ୍ନ ସ୍ଥାନକୁ ଗସ୍ତ କରି ସ୍ଥାନୀୟ ଅଞ୍ଚଳର ବିକାଶ ବାବଦରେ ଆଲୋଚନା କରିବା ସହିତ ସରକାରୀ କାମର ଅଗ୍ରଗତି ବାବଦରେ ସମସ୍ୟାର ସମାଧାନ କରୁଛନ୍ତି।
Comments are closed.