ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ପରାଜୟ ପରେ ବିଜେଡି ଏବେ ରାଜନୈତିକ ଘାତ ପ୍ରତିଘାତକୁ ସାମ୍ନା କରି ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛି। ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ନଦେବାର ନିଷ୍ପତ୍ତି ୧୩ ବର୍ଷ ତଳେ ଦଳର ସମାନ ରଣନୀତିକୁ ମନେ ପକାଇଛି। କିନ୍ତୁ ଏହା ଦଳ ହରାଇଥିବା ସ୍ଥିତିକୁ ଫେରାଇ ଆଣିବ କି? ଏହା ପଛରେ ଥିବା କାରଣଗୁଡ଼ିକ ନେଇ ଏବେ ଭିନ୍ନ ଭିନ୍ନ ଆଲୋଚନା ହେଉଛି।
କାହିଁକି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ୍ ଦେଲା ନାହିଁ?
୧. ବିଜେପି ସହ ମିଶିବା ଦଳକୁ ଆହୁରି ଦୁର୍ବଳ କରିବ
୨୦୨୪ ନିର୍ବାଚନରେ ବିଜେପି ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ଉଠାଇ ବିଜେଡିକୁ ହରାଇଥିଲା। ୨୦୧୯ ପରେ ବିଜେଡିର ବିଜେପି ସହ ଗୁପ୍ତ ବୁଝାମଣା ଦଳକୁ ଦୁର୍ବଳ କରିଛି ବୋଲି କୁହାଯାଉଛି। ଏହି ଧାରଣା ଭାଙ୍ଗିବା ପାଇଁ ନବୀନ ଏବେ ବିଜେପିକୁ ସିଧାସଳଖ ସମର୍ଥନ କରିବାକୁ ଚାହୁଁନାହାନ୍ତି। ତେଣୁ ଭୋଟ ନଦେଇ ବିଜେଡି ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ପରୋକ୍ଷରେ ସାହାଯ୍ୟ କରିଥାଇପାରେ।
୨. ଓଡ଼ିଶାରେ କଂଗ୍ରେସକୁ ବିରୋଧୀ ସ୍ଥାନ ଛାଡ଼ି ଦେବା ଠିକ୍ ହେବନି
ଯଦି ବିଜେଡି ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ଭୋଟ ଦେଇଥାନ୍ତା, ତାହା ଓଡ଼ିଶାରେ କଂଗ୍ରେକୁ ଆଗକୁ ବଢିବାକୁ ସାହାଯ୍ୟ କରିଥାନ୍ତା। ଏହା ବିଜେଡିର ମୁଖ୍ୟ ବିରୋଧୀ ଦଳ ଭାବେ ସ୍ଥିତିକୁ ଦୁର୍ବଳ କରିପାରେ। ତେଣୁ ଭୋଟ ନଦେଇ ବିଜେଡି ଇଣ୍ଡିଆ ମେଣ୍ଟଠୁ ଦୂରେଇ ରହିଛି।
୩. ସମଦୂରତା ରହି ତଦନ୍ତ ସଂସ୍ଥାଙ୍କୁ ଦୂରେଇ ରଖିବା
ବିଜେଡିର ଅନେକ ନେତାଙ୍କ ବିରୋଧରେ ଅଭିଯୋଗ ରହିଛି। କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଏହାର ତଦନ୍ତ କରିପାରେ। ବିଜେପି ନେତୃତ୍ୱକୁ ବିରୋଧ କଲେ ଏହି ତଦନ୍ତ ଆହୁରି ଜୋରଦାର ହୋଇପାରେ। ତେଣୁ ବିଜେଡି ସମଦୂରତା ନୀତି ଅବଲମ୍ବନ କରିବାକୁ ପସନ୍ଦ କରିଛି।
୪. ୨୦୨୯ ପାଇଁ ସମ୍ଭାବନା ଖୋଲା ରଖିବା
ନିକଟ ଭବିଷ୍ୟତରେ କୌଣସି ନିର୍ବାଚନ ନାହିଁ। ତେଣୁ ବିଜେଡି ଭୋଟ ନଦେଇ ଏନଡିଏ ଓ ଇଣ୍ଡିଆ ମେଣ୍ଟ ସହ ଭବିଷ୍ୟତ ମିଳାମିଶାର ସମ୍ଭାବନା ଖୋଲା ରଖିଛି। ୨୦୨୯ ନିର୍ବାଚନ ପୂର୍ବରୁ ରାଜନୈତିକ ପରିସ୍ଥିତି ଅନୁଯାୟୀ ଦଳ ନିଜେ ଲଢ଼ିପାରେ କିମ୍ବା କୌଣସି ମେଣ୍ଟ ସହ ଯୋଗ ଦେଇପାରେ।
୫. ଦଳ ଭିତରେ ଅସନ୍ତୋଷ ରୋକିବା
ବିଜେଡି ଭିତରେ ଏକାଧିକ ମତଭେଦ ରହିଛି। କେଉଁ ପକ୍ଷକୁ ସମର୍ଥନ କରିବେ, ଏନଡିଏ ନା ଇଣ୍ଡିଆ ମେଣ୍ଟ କାହାକୁ ସମର୍ଥନ କରିବେ ଏ ନେଇ ନେତାମାନଙ୍କ ମଧ୍ୟରେ ମତଭେଦ ରହିଛି। ଭୋଟ ନଦେଇ ନବୀନ ଏହି ଅସନ୍ତୋଷକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି।
ବିଜେଡିର ରଣନୀତି କ’ଣ କହୁଛି?
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ନିଷ୍ପତ୍ତି କେବଳ କ୍ଷତି ନିୟନ୍ତ୍ରଣ ନୁହେଁ, ବିଜେପି ସହ ଗୁପ୍ତ ସମ୍ପର୍କ ଦୂର କରିବାର ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି। ଜନସାଧାରଣଙ୍କ ମଧ୍ୟରେ ବିଜେଡି ବିଜେପିର ସହାୟକ ଦଳ ବୋଲି ଧାରଣା ରହିଛି। ଏହି ଧାରଣରେ ବ୍ରେକ ଦେବା ପାଇଁ ଦଳକୁ ନୂଆ ଏଜେଣ୍ଡା ଗଢ଼ିବାକୁ ପଡ଼ିବ। ତେଣୁ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ବିଜେଡି ପାଇଁ ପରବର୍ତ୍ତୀ ପରୀକ୍ଷା ବୋଲି କୁହାଯାଉଛି।
ବିଜେଡିକୁ ଓଡ଼ିଶାର ମୂଳ ଦଳ ଭାବେ ନିଜର ପରିଚୟ ତିଆରି କରିବାକୁ ହେବ। ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼ୁଥିବା ଦଳ ଭାବେ ଜନସାଧାରଣଙ୍କୁ ବିଶ୍ୱାସ ଦେବାକୁ ହେବ। କିଛି ବ୍ୟକ୍ତି କିମ୍ବା ଗୋଷ୍ଠୀର ସ୍ୱାର୍ଥ ପାଇଁ କାମ କରୁଥିବା ଧାରଣାକୁ ଦୂର କରିବା ଜରୁରୀ। ନଚେତ ଆଗାମୀ ଦିନରେ ନେତା ଓ କର୍ମୀ ଦଳ ଛାଢ଼ିବେ। ନବୀନଙ୍କୁ ଭି.କେ. ପାଣ୍ଡିଆନଙ୍କ ପ୍ରଭାବ ଓ ତାଙ୍କ ବିରୋଧୀ ନେତାଙ୍କ ମନୋଭାବକୁ ସନ୍ତୁଳନ କରିବାରେ ବଡ଼ ଚ୍ୟାଲେଞ୍ଜ ରହିଛି।
ବିଜେଡିର ପୂର୍ବ ଇତିହାସ
୨୦୦୯ରେ ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ବିଜେଡିର ଉପରାଷ୍ଟ୍ରପତି ନିର୍ବାଚନରେ ନୀତି ବଦଳୁଛି। ୨୦୧୨ରେ ଦଳ ଭୋଟ ଦେଇନଥିଲା। ୨୦୧୭ରେ ନବୀନ ୟୁପିଏ ମେଣ୍ଟର ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ କରିଥିଲେ, ଯିଏ ଏନଡିଏର ଭେଙ୍କୈୟା ନାଇଡୁଙ୍କଠାରୁ ହାରିଥିଲେ। ୨୦୨୨ରେ ବିଜେଡି ଏନଡିଏର ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିଥିଲା। ତେଣୁ ଅନୁଧ୍ୟାନ କରାଯାଏ ଯେ ବିଜେଡି ରାଜନୈତିକ ଆବଶ୍ୟକତା ଅନୁସାରେ ‘ସମଦୂରତା’ ନୀତି ଗ୍ରହଣ କରେ।
୧୩ ବର୍ଷ ତଳେ ନବୀନ ପ୍ୟାରିମୋହନ ମହାପାତ୍ରଙ୍କ ବିଦ୍ରୋହ ପ୍ରୟାସକୁ ବିଫଳ କରି କେନ୍ଦ୍ରରେ ୟୁପିଏ ଓ ଏନଡିଏ ମଧ୍ୟରେ ସନ୍ତୁଳନ ରକ୍ଷା କରିଥିଲେ। କିନ୍ତୁ ୨୦୨୫ର ସ୍ଥିତି ୨୦୧୨ ସ୍ଥିତି ଅପେକ୍ଷା ଢେର ବଦଳିଛି। ‘କେନ୍ଦ୍ରୀୟ ଅବହେଳା’ ପ୍ରସଙ୍ଗ ଏବେ ଆଗ ଭଳି ରେଜଲ୍ଟ ଦେଇପାରିବ ନାହିଁ। ନବୀନଙ୍କ ବୟସ ବଢୁଛି। ଦଳର କର୍ମୀମାନେ ଦିଗହରା ହେଉଛନ୍ତି। ନବୀନଙ୍କ ଉତ୍ତରାଧିକାରୀ କିଏ ହେବେ, ଏହାକୁ ନେଇ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି।
ନବୀନ କ’ଣ ବିଜେଡିକୁ ପୁଣିଥରେ ମଜବୁତ କରିପାରିବେ?
ଏଭଳି ପରିସ୍ଥିତରେ ନବୀନ ପୁଣି ଥରେ ନିଜର ରାଜନୈତିକ ଦକ୍ଷତା ଦେଖାଇ ବିଜେଡିକୁ ଆଗକୁ ନେଇପାରିବେ କି? ନା ଦଳ ଆହୁରି ତଳକୁ ଖସିବ? ଏହାକୁ ନେଇ ଆରମ୍ଭ ହୋଇଛି ତର୍କ ବିତର୍କ।
Comments are closed.