ନୂଆଦିଲ୍ଲୀ : ସାରା ଦେଶରେ ତାଣ୍ଡବ ରଚୁଛି ମହାମାରୀ କରୋନା । ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁ ଥିବା ବେଳେ ଦେଶବାସୀଙ୍କ ପାଇଁ ଆସିଛି ଆଶ୍ବସ୍ତିକର ଖବର । କାରଣ, ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ୧୨ରୁ ୧୪ ବର୍ଷ ବର୍ଗ ମଧ୍ୟରେ ଥିବା ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନର କୋଭିଡ ୧୯ ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡାକ୍ତର ଏନ.କେ ଅରୋରା ।
କୋଭିଡ ଭଳି ମହାମାରୀ ସମୟରେ ଗତ ଜାନୁଆରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ପିଲା ପ୍ରଥମ ଡୋଜ୍ ନେଇ ସାରିଲେଣି । ତେଣୁ ଏଭଳି ସ୍ଥିତିରେ ଆସନ୍ତା ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକାକରଣ ଆରମ୍ଭ କରିବାକୁ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି ଡାକ୍ତର ଏନ.କେ ଆରୋରା ।
ଏନଟିଏଜିଆଇର କୋଭିଡ ୧୯ ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡାକ୍ତର ଏନ.କେ ଅରୋରା ଆହୁରି କହିଛନ୍ତି ଯେ, ଜାନୁଆରୀ ଶେଷ ସୁଦ୍ଧା ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ପିଲାଙ୍କୁ ପ୍ରଥମ ଡୋଜ୍ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ଫେବ୍ରୁଆରୀରୁ ସେମାନଙ୍କର ଦ୍ବିତୀୟ ଡୋଜ୍ ଟିକାକରଣ ଆରମ୍ଭ ହୋଇପାରିବ । ଏହି ପ୍ରକ୍ରିୟାକୁ ଫେବ୍ରୁଆରୀ ଶେଷ ସପ୍ତାହ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏସବୁ ପ୍ରକ୍ରିୟା ଶେଷ ହେବା ପରେ ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାଙ୍କୁ ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି ।
Comments are closed.