Latest Odisha News

BREAKING NEWS

ଗୁଜୁରାଟରେ ହିଟ୍ ଆଣ୍ଡ ରନ୍ ମାମଲା; ଗଞ୍ଜେଇ ନିଶାରେ ଗାଡି ଚଳାଉଥିଲେ ଲ’ ଛାତ୍ର

ବଡୋଦରା: ଗୁଜୁରାଟର ବଡୋଦରାରେ ଏକ ହିଟ୍ ଆଣ୍ଡ୍ ରନ୍ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରକ୍ଷିତ ଚୌରାସିଆ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲା।

ଗାନ୍ଧୀନଗର ସ୍ଥିତ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ମଦ୍ୟପାନ କରିନଥିଲେ ବକଂ ଗଞ୍ଜେଇ ସେବନ କରିଥିଲେ। ଚୌରାସିଆଙ୍କ ସହିତ କାରରେ ଉପସ୍ଥିତ ଥିବା ତାଙ୍କ ବନ୍ଧୁ ପ୍ରାଂଶୁ ଚୌହାନ ଏବଂ ସୁରେଶ ଭରୱାଡଙ୍କ ରକ୍ତ ନମୁନାରେ ମଧ୍ୟ ନିଶା ସ୍ପଷ୍ଟ ହୋଇଥିଲା।

ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟେନ୍ସ (ଏନଡିପିଏସ) ଆଇନ, ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହା ବ୍ୟତୀତ ରକ୍ଷିତ ଚୌରାସିଆଙ୍କ ବିରୁଦ୍ଧରେ ମୋଟର ଯାନ ଆଇନ ୧୯୮୮ର ଧାରା ୧୮୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

ଅପରପକ୍ଷରେ ପୋଲିସର ସୂଚନା ଅନୁଯାୟୀ, ପ୍ରାଂଶୁ ଚୌହାନଙ୍କୁ ଗିରଫ କରାଯାଇଥିବା ବେଳେ ରକ୍ଷିତ ଚୌରାସିଆ ବର୍ତ୍ତମାନ ଭଦୋଦରା ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି। ସେହିପରି ତୃତୀୟ ଅଭିଯୁକ୍ତ ସୁରେଶ ଭରୱାଡ ଏବେ ବି ଫେରାର।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୧୩ରେ ଆମ୍ରପାଲି କମର୍ସିଆଲ୍ ପ୍ଲେସ୍ ଆଡ଼କୁ ଯାଉଥିବା ରାସ୍ତାରେ ଦ୍ରୁତ ଗତିରେ ଆସି ଏକ କାର ତିନି ବାଇକକୁ ଧକ୍କା ଦେବା ସହ ରାସ୍ତାରେ ଚାଲୁଥିବା କିଛି ପଥଚାରୀଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଏହି ଘଟଣାରେ ମୋଟ ୮ ଜଣ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କ ଜୀବନ ଯାଇଥିଲା।

ଜଣେ ୨୩ ବର୍ଷୀୟ ଆଇନ ଛାତ୍ରଙ୍କ ଗାଡି଼ ତଳେ ଆସି ଜଣେ ମହିଳାଙ୍କ ନିର୍ମମ ହତ୍ୟା ଘଟଣା ସେ ସମୟରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା। କରେଲିବାଗ ଅଞ୍ଚଳର ମୁକ୍ତାନନ୍ଦ ଛକ ନିକଟରେ ରାତି ପ୍ରାୟ ୧୨.୩୦ ସମୟରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ରକ୍ଷିତ ଚୌରାସିଆଙ୍କୁ ଲୋକମାନେ ଧରି ପକାଇଥିଲେ। ଏହାପରେ ନିର୍ଧୁମ ପିଟିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ। ଏହି ଭୟଙ୍କର ଦୁର୍ଘଟଣାର ସିସିଟିଭି ଭିଡିଓ ମଧ୍ଯ ଭାଇରାଲ ହୋଇଥିଲା।

 

Comments are closed.