ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ସମସ୍ତଙ୍କୁ ପ୍ରଭାବିତ କରିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଏହି ଯୁବ ଖେଳାଳି ଶୂନରେ ଆଉଟ ହୋଇଥିଲେ । ତେବେ ଏହା ମଧ୍ୟରେ ଏକ ଖୁସୀ ଖବର ହସ୍ତଗତ ହୋଇଛି । ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ବୈଭବଙ୍କୁ ଟିମ ଇଣ୍ଡିଆ ପକ୍ଷରୁ ଖେଳିବା ପାଇଁ ସୁଯୋଗ ମିଳିପାରେ । ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ବୈଭବଙ୍କ ନାମ ଚୟନ କମିଟି ଶର୍ଟଲିଷ୍ଟରେ ରଖିଛନ୍ତି । ଜୁନରେ ଏହି ସିରିଜ ପାଇଁ ଦଳ ଚୟନ କରାଯିବ । ରିପୋର୍ଟ ମୁତାବକ ଚୟନ କମିଟି ପ୍ରାୟତଃ ଦଳ ଚୟନ କରିସାରିଛି । କେତେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ବୈଭବଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ।
ଯଦି ସବୁ କିଛି ଠିକଠାକ ରୁହେ ତେବେ ବୈଭବ ଭାରତ ପକ୍ଷରୁ ସର୍ବ କନିଷ୍ଠ ଖେଳାଳି ଭାବେ ସୁଯୋଗ ପାଇବେ । ଆଇପିଏଲ ପୂର୍ବରୁ ୧୯ ବର୍ଷରୁ କମ କ୍ରିକେଟରେ ମଧ୍ୟ ବୈଭବ ଚୟନ କମିଟିଙ୍କୁ ପ୍ରଭାବିତ କରି ପାରିଛନ୍ତି । ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଭଲ ପ୍ରଦର୍ଶନ କରିଥିଲେ । ସେ ଉଭୟ ୫୦ ଓ ୨୦ ଓଭର ମୁକାବିଲାରେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି । ତେବେ ସେ ଟି୨୦ ଫର୍ମାଟ ପାଇଁ ଉପଯୁକ୍ତ ବୋଲି ଚୟନ କମିଟିର ଜଣେ ସଦସ୍ୟ କହିଛନ୍ତି । ଚଳିତ ଆଇପିଏଲ ସିଜନରେ ବୈଭବ ୩୫ ବଲରେ ଶତକ ମାରିଛନ୍ତି ।