ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ବିଜୟ ହଜାରେ ଟ୍ରଫିର ବିହାର ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଅବସରରେ ସେ ଏହି ରେକର୍ଡ କରିଛନ୍ତି । ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ବୈଭବ ଲିଷ୍ଟ-ଏ କ୍ରିକେଟ ଖେଳିଛନ୍ତି । ଅଲୀ ଆକବରଙ୍କ ରେକର୍ଡକୁ ବୈଭବ ଭାଙ୍ଗିଛନ୍ତି । ୧୯୯୯ରେ ୧୪ ବର୍ଷ ୫୧ ଦିନରେ ଅଲୀ ଲିଷ୍ଟ-ଏ କ୍ରିକେଟରେ ପଦାର୍ପଣ କରିଥିଲେ । ଏବେ ବୈଭବ ୧୩ ବର୍ଷ ୨୬୯ ଦିନରେ ଏହି ରେକର୍ଡ ଅତିକ୍ରମ କରିଛନ୍ତି । ଏହା ପୂର୍ବରୁ ବୈଭବ ୧୯ ବର୍ଷରୁ କମ କ୍ରିକେଟ ଓ ରଣଜୀ ଟ୍ରଫିରେ ମଧ୍ୟ କମ ବୟସରେ ପଦାର୍ପଣ କରିଥିଲେ ।
ତେବେ ଲିଷ୍ଟ ଏ ଆରମ୍ଭ ତାଙ୍କ ପକ୍ଷେ ଏତେଟା ଉତ୍ସାହଜନକ ରହି ନାହିଁ । ବୈଭବ ମାତ୍ର ୨ଟି ବଲ ଖେଳି ଆଉଟ ହୋଇ ଯାଇଥିଲେ । ବିହାର ପ୍ରଥମେ ବ୍ୟାଟିଂ କରି ୪୬.୪ ଓଭରରେ ୧୯୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ମଧ୍ୟପ୍ରଦେଶ ୨୫.୧ ଓଭରରେ ୬ ୱିକେଟରେ ଲକ୍ଷ୍ୟ ହାସଲ କରି ନେଇଥିଲା । ହର୍ଷ ଗୱାଲୀ ୮୩ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଆଇପିଏଲ ମେଗା ନିଲାମରେ ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କାରେ ନେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ ।