Latest Odisha News

BREAKING NEWS

ଭାରତ-ଆମେରିକା ଡିଲ ବିଳମ୍ୱ ପଛରେ ଏହି ଦୁଇ ନେତା; ଭାଇରାଲ ଅଡିଓକୁ ନେଇ ବିବାଦ…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ଚାଲି ଆସିଛି। ଏନେଇ ଭାରତର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଙ୍କ ସହିତ ମିଶି ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ସତ୍ବେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ସଫଳତା ମିଳିପାରିନାହିଁ।

ତେବେ ବର୍ତ୍ତମାନ ଆମେରିକା-ଭାରତ ବାଣିଜ୍ୟ ଚୁକ୍ତିକୁ ନେଇ ଟ୍ରମ୍ପ ପ୍ରଶାସନ ମଧ୍ୟରେ ମତଭେଦ ଦେଖାଦେଇଥିବା ନେଇ ଏକ ରିପୋର୍ଟରୁ ପ୍ରକାଶ ପାଇଛି। ଏହି ବାଣିଜ୍ୟ ଚୁକ୍ତିରେ  ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ହ୍ୱାଇଟ୍ ହାଉସର ଅର୍ଥନୈତିକ ପରାମର୍ଶଦାତା ପିଟର ନାଭାରୋ ବାଧା ସୃଷ୍ଟି କରୁଥିବା ନେଇ ରିପବ୍ଲିକାନ ସେନେଟର ଟେଡ୍ କ୍ରୁଜ୍ ଦାବି କରିଛନ୍ତି।

କ୍ରୁଜ୍ ଙ୍କ ର ଏକ ଅଡିଓ ରେକର୍ଡିଂ ସାମ୍ନାକୁ ଆସିଛି। ଯେଉଁଥିରେ ସେ ପାଣ୍ଠି ଦାତାଙ୍କ ସହ ବ୍ୟକ୍ତିଗତ ବୈଠକରେ ଜେ.ଡି. ଭାନ୍ସଙ୍କୁ ସମାଲୋଚନା କରୁଥିବା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ପରିହାସ କରୁଥିବା ଶୁଣାଯାଉଛି। କାରଣ କ୍ରୁଜ୍ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତିକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ଓ ଏଥିରେ ସେ  କହିଛନ୍ତି ଯେ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତିକୁ ଆଗକୁ ବଢ଼ାଇବା ପାଇଁ ସେ ହ୍ୱାଇଟ୍ ହାଉସ୍ ସହିତ “ଲଢ଼େଇ” ମଧ୍ୟ କରୁଛନ୍ତି। ସାର୍ବଜନୀନ ମଞ୍ଚରେ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ବିଷୟରେ ଟ୍ରମ୍ପ ସକାରାତ୍ମକ ବିବୃତ୍ତି ଦେଉଥିବା ସମୟରେ ଏପରି ରେକର୍ଡିଂ ଗୁଡ଼ିକ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରୁଛି। ନରେନ୍ଦ୍ର ମୋଦିଙ୍କ ଉପରେ ଟ୍ରମ୍ପ ବିଶ୍ୱାସ ଜତାଇବା ସହ ଦୁଇ ଦେଶ ମଧ୍ୟରେ ଚୁକ୍ତି ସମ୍ଭବପର ହୋଇପାରିବ ବୋଲି ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ ରେ ସେ କହିଛନ୍ତି।

ବର୍ତ୍ତମାନ ୱାଶିଂଟନ୍ ଏବଂ ନୂଆଦିଲ୍ଲୀର ଅଧିକାରୀମାନେ ଚୁକ୍ତିରେ ଥିବା ବାଧାଗୁଡ଼ିକୁ ଦୂର କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। କିନ୍ତୁ ସମ୍ବେଦନଶୀଳ ଶୁଳ୍କ ଏବଂ ସର୍ତ୍ତାବଳୀ କାର୍ଯ୍ୟକାରୀ କରାଯିବା ଦ୍ଵାରା ଏହି ପ୍ରସଙ୍ଗ ବାଧାପ୍ରାପ୍ତ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି। ଯେଉଁଥିପାଇଁ ଚୁକ୍ତି ଚୂଡ଼ାନ୍ତ ହେବାରେ ବିଳମ୍ବ ହେଉଛି।

Leave A Reply

Your email address will not be published.