Latest Odisha News

ସମ୍ବଲପୁରରେ ଆନ୍ଦୋଳନ ବେଳେ ଭଙ୍ଗାରୁଜା: ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ୍

କଟକ: ସମ୍ବଲପୁର ଜିଲ୍ଲା କୋର୍ଟରେ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିବା ୨୯ ଜଣ ଆଇନଜୀବୀଙ୍କୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟ ଗୁରୁବାର ମାମଲାର ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ। ରାଲି ନକରିବା, ଗଣମାଧ୍ୟମ ଆଗରେ ବୟାନ ଦେବା ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବା ଭଳି କେତେକ ସର୍ତ୍ତ ରଖି ଶୁକ୍ରବାର ରାଜ୍ୟର ସର୍ବୋଚ୍ଚ ଅଦାଲତ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ପଶ୍ଚିମ ଓଡିଶାର ଓକିଲମାନେ ଏହି ଅଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରିଆସୁଥିଲେ। ଆଇନଜୀବୀଙ୍କ ଅନୁପସ୍ଥିତି ଯୋଗୁଁ କୋର୍ଟ କାମ ପ୍ରଭାବିତ ହେଉଥିବାରୁ ସୁପ୍ରିମ୍ କୋର୍ଟ ସେମାନଙ୍କୁ ନିଜ କାମରେ ଯୋଗଦେବାକୁ କହିଥିଲେ ନଚେତ୍ ବାର କାଉନସିଲ୍ ଅଫ୍ ଇଣ୍ଡିଆରୁ ସେମାନଙ୍କ ଲାଇସେନ୍ସ ବାତିଲ୍ କରାଯିବ ବୋଲି ଚେତାବନୀ ଦେଇଥିଲେ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଓକିଲ ପରିଷଦ ପକ୍ଷରୁ ଗତ ନଭେମ୍ବର ୧୫ ତାରିଖରେ ସମ୍ବଲପୁର, ତାଳଚେର ଓ ପାଲଲହଡ଼ା ଓକିଲ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଥିଲା।

ନଭେମ୍ବର ୩୦ ତାରିଖରେ କିନ୍ତୁ ଆନ୍ଦୋଳନରତ ଓକିଲମାନେ ସମ୍ବଲପୁରର କଚେରୀ ଛକରେ ପୁଲିସ ଫୋର୍ସ ସହ ଧସ୍ତାଧସ୍ତି କରିବାରୁ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା। ଆନ୍ଦୋଳନକାରୀ ଓକିଲଙ୍କ ଦ୍ୱାରା ଲଗାଯାଇଥିବା ଟେଣ୍ଟକୁ ପୁଲିସ ଉଖାଡିଦେବା ପରେ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଗତ ୧୨ ତାରିଖରେ ଆନ୍ଦୋଳନରତ ଓକିଲ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହେବା ପରେ କଚେରୀ ଛକ ରଣକ୍ଷେତ୍ରରେ ପାଲଟିଥିଲା। ଓକିଲମାନେ ପୁଲିସ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ଭିତରକୁ ପଶିବାକୁ ଉଦ୍ୟମ କରିବାରୁ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ସମୟରେ କିଛି ଲୋକ ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟରେ ଭଙ୍ଗାରୁଜା କରିଥିବା ଅଭିଯୋଗ ରହିଛି। ଏହାପରେ ପୋଲିସ ଓକିଲଙ୍କୁ ଗିରଫ କରିଥିଲା। ଏମିତିକି କୋର୍ଟ ଅବମାନନା ଦର୍ଶାଇ ଜାମିନ୍ ଦେବାକୁ ମନା କରିଦେଇଥିଲେ।

 

Comments are closed.