Latest Odisha News

BREAKING NEWS

ଆସନ୍ତା ମାସରୁ ପୁରୀରୁ ହାଓ୍ୱଡା ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ!

ଭୁବନେଶ୍ୱର: ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମାସରେ ଓଡ଼ିଶାରେ ଗଡିବାକୁ ଯାଉଛି ହାଇସ୍ପୀଡ ସୁପରଫାଷ୍ଟ ଟ୍ରେନ୍ ‘ବନ୍ଦେ ଭାରତ ଏକ୍ସପ୍ରେସ୍’। ଏହି ଟ୍ରେନ ପୁରୀରୁ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର ଦେଇ ହାଓ୍ୱଡାରେ ଶେଷ ହେବ। ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନିକଟରେ ବିଭିନ୍ନ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନରେ ନିଜେ ପ୍ରଧାନମମନ୍ତ୍ରୀ ଉପସ୍ଥିତ ରହି ଉଦଘାଟନ କରୁଥିବାରୁ ଏପରି ଏକ ଆକଳନ କରାଯାଉଛି।

ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ଏହି ହାଇସ୍ପୀଡ ସୁପରଫାଷ୍ଟ ଟ୍ରେନ୍ ବାହାରି ଭୁବନେଶ୍ବର ଦେଇ କୋଲକାତା ଯାଇଛି। କୋଲକାତାରେ ଏହି ଟ୍ରେନର ପ୍ରାଇମେରୀ ମେଣ୍ଟେନାନ୍ସ ୟୁନିଟ୍ ରହିବ। ତେବେ ଏହାର ସେକେଣ୍ଡାରୀ ୟୁନିଟ୍ ପୁରୀ କିମ୍ବା ଭୁବନେଶ୍ବରରେ ରହିପାରେ। ସାରା ଦେଶରେ ଏବେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି। ତେବେ ଏନେଇ ରେଳ ଅଧିକାରୀ କିମ୍ବା କୌଣସି ପ୍ରମୁଖ ଅଧିକାରୀ ସୂଚନା ଦେଇନାହାନ୍ତି। କିନ୍ତୁ ଗତବର୍ଷ ଓଡ଼ିଶା ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୁବ୍ ଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆଜି ଭୁବନେଶ୍ୱର ଦେଇ କୋଲକାତା ଏହି ଟ୍ରେନ୍ ଯିବା ପରେ ଏସବୁ ଚର୍ଚ୍ଚା ବଢ଼ିଛି।

ଟ୍ରେନର କୋଚ, ଯେଉଁଥିରେ ଜିପିଏସ ଆଧାରିତ ଯାତ୍ରୀ ସୂଚନା ବ୍ୟବସ୍ଥା ଭଳି ଅତ୍ୟାଧୁନିକ ସୁବିଧା ରହିଛି, ବାୟୋ-ଭାକ୍ୟୁମ୍ ଟଏଲେଟ୍, ଏଗଜିକ୍ୟୁଟିଭ୍ କ୍ଲାସର ରୋଟେଶନାଲ୍ ସିଟ୍ ଆଦି ଅତ୍ୟାଧୁନିକ ସେବା ରହିଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ 200ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି।  180 କି.ମି ପ୍ରତି ଘଣ୍ଟା ବେଗରେ ଦୌଡୁଥିବା ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଭାରତରେ ରେଳ ଯାତ୍ରାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଓଡ଼ିଶାରେ ଏହାର ପ୍ରଚଳନ ରାଜ୍ୟ ତଥା ସମଗ୍ର ଦେଶ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହେବା ନିଶ୍ଚିତ।

Comments are closed.