Latest Odisha News

ପିଆଇବି ପକ୍ଷରୁ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ଭୁବନେଶ୍ୱର: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ‘‘ତିନୋଟି ନୂଆ ଅପରାଧିକ ଆଇନ’’ ଉପରେ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଆୟୋଜିତ କରାଯାଇଛି । ଦେଶରେ ନୂଆ ଅପରାଧିକ ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା ବୃଦ୍ଧି ପାଇଛି । ମାନବାଧିକାର ସୁରକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଗୁରୁଦାୟିତ୍ୱ ରହିଥିବା କାରଣରୁ ସାମ୍ବାଦିକମାନେ ଦାୟିତ୍ୱପୂର୍ଣ୍ଣ ଖବର ପ୍ରସାରଣ କରିବା ଉଚିତ୍ ବୋଲି କର୍ମଶାଳାରେ କହିଛନ୍ତି ରାଜ୍ୟ ଅଗ୍ନିଶମ ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ।

ଆସନ୍ତା ଜୁଲାଇ ପହିଲାରୁ ଦେଶରେ ତିନୋଟି ନୂଆ ଅପରାଧିକ ଆଇନ ଲାଗୁ ହେବାକୁ ଯାଉଛି । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ହେଉଛି ସ୍ୱାଧୀନ ଭାରତର ନିଜସ୍ୱ ନ୍ୟାୟିକ ଆଇନ । ପୂର୍ବରୁ ଥିବା ବ୍ୟବସ୍ଥାରେ ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଥିଲା । ତାରିଖ ଉପରେ ତାରିଖ ଗଡ଼ି ଚାଲିଥିଲା। ନୂଆ ଆଇନରେ ମାମଲାର ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରାଯାଇଛି, ଯଦ୍ଦ୍ୱାରା ନ୍ୟାୟ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି କହିଛନ୍ତି ଶ୍ରୀ ଷଡଙ୍ଗୀ । ସାତ ବର୍ଷରୁ କମ୍ ଦଣ୍ଡବିଧାନ ବ୍ୟବସ୍ଥା ରହିଥିବା ଛୋଟ ଛୋଟ ଅପରାଧ ସ୍ୱୀକାର କରିବା କ୍ଷେତ୍ରରେ ଦୋଷୀଙ୍କ ଜେଲ ଦଣ୍ଡାଦେଶ ହ୍ରାସ କରିବା ଲାଗି ନୂଆ ଆଇନରେ ବ୍ୟବସ୍ଥା ରହିଛି । ଜେଲରେ ଥିବା ବହୁ ଗରିବ ଲୋକ ପାଖରେ ଟଙ୍କା ନଥିବା କାରଣରୁ ଓକିଲଙ୍କୁ ନିୟୋଜିତ କରି ଜାମିନ୍ ପାଇପାରୁନଥିଲେ। ନୂଆ ଆଇନରେ ଏଭଳି ଗରିବ ଲୋକଙ୍କୁ ଓକିଲଙ୍କ ସହାୟତା ବିନା ଜାମିନ ଦେବାର ବ୍ୟବସ୍ଥା କରାଯାଇଛି ।

ବିଚାରଧୀନ କଏଦୀଙ୍କ ସଂଖ୍ୟା ହ୍ରାସ ପାଇଁ ଏହା ଏକ ଭଲ ବ୍ୟବସ୍ଥା । ମହିଳାଙ୍କୁ କାର୍ଯ୍ୟ କ୍ଷେତ୍ରରେ ଯୌନ ନିର୍ଯାତନା, ଶିଶୁ ଓ ମହିଳା ଚାଲାଣ, ଆତଙ୍କବାଦ, ଭିଡ଼ ହିଂସା, ଏସିଡ୍ ଆକ୍ରମଣ ସମେତ ସାଇବର ଅପରାଧ, ବାଲି ମାଫିଆ, ପଥର ମାଫିଆ ଭଳି ସଂଗଠିତ ଅପରାଧ ଓ ଛିନତାଇ ବିରୋଧରେ ଆଇନକୁ କଠୋର କରାଯାଇଛି । ଜିରୋ ଏଫଆଇଆର ବ୍ୟବସ୍ଥା ଦ୍ୱାରା ଯେକୌଣସି ଥାନାରେ ମାମଲା ରୁଜୁ କରାଯାଇପାରିବ, ଯାହାକି ପୀଡ଼ିତମାନଙ୍କୁ ବେଶ ସୁବିଧା ପ୍ରଦାନ କରିବ । ପୂର୍ବରୁ ସିଆରପିସିରେ ୪୮୪ଟି ଧାରା ରହିଥିଲା ବେଳେ ବର୍ତ୍ତମାନ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ୫୩୧ଟି ଧାରା ରହିଛି । ଆଇପିସିରେ ୫୧୧ଟି ଧାରା ଥିବା ବେଳେ ଭାରତୀୟ ନ୍ୟାୟ ସଂହିତାରେ ୩୫୮ଟି ଧାରାକୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ପୁରୁଣା ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟରେ ୧୭୦ ଟି ଧାରା ଥିବା ବେଳେ ଭାରତୀୟ ସାକ୍ଷ୍ୟ ଅଧିନିୟମରେ ୧୬୭ ଧାରା ରହିଛି ବୋଲି କହିଛନ୍ତି ଡକ୍ଟର ଷଡ଼ଙ୍ଗୀ ।

Leave A Reply

Your email address will not be published.