Latest Odisha News

BREAKING NEWS

ମୁସଲିମ ଝିଅ ମାମୁନିଙ୍କ ମୁହଁରେ ବେଦମନ୍ତ୍ର, ବାଣ୍ଟୁଛନ୍ତି ସର୍ବଧର୍ମ ସମନ୍ବୟର ବାର୍ତ୍ତା, ଝିଅକୁ ଭେଟି ସମସ୍ତ ପାଠ ପଢ଼ାର ଦାୟିତ୍ୱ ନେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ବର: ଗରିବ ମୁସଲିମ୍‌ ଝିଅ ମୁହଁରେ ବେଦମନ୍ତ୍ର । ମହାମୃତ୍ୟୁଞ୍ଜୟ ମନ୍ତ୍ର ସାଙ୍ଗକୁ ଗଣେଷ ବନ୍ଦନା, ଗୁରୁବନ୍ଦନା ସବୁ କିଛି ମୁଖସ୍ଥ କରି ରଖିଛନ୍ତି । ଏ ହେଉଛନ୍ତି ଜଣେ ମୁସଲମାନ ପରିବାରର ଝିଅ । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ସୂନାରୁଇ ଗାଁର ଏକ ଗରିବ ମୁସଲିମ ପରିବାରର ଝିଅ ହେଉଛନ୍ତି ମାମୁନି ଖାତୁନ ।

ମାମୁନିଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗି । ସେ ତାଙ୍କର ସମସ୍ତ ପାଠ ପଢ଼ାର ଦାୟିତ୍ୱ ନେଇଛନ୍ତି । ମାମୁନିଙ୍କ ଖୁସି କହିଲେ ନସରେ । ଆଜି ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗି ମାମୁନି ଖାତୁନଙ୍କ ଘରକୁ ଯାଇ ତାଙ୍କୁ ଦେଖାକରିଛନ୍ତି ।

ମାମୁନି ପାଠ ପଢି ଜଣେ ସଂସ୍କୃତ ଅଧ୍ୟାପିକା ହେବା ପାଇଁ ଇଚ୍ଛା କରିଥିଲେ । ମାତ୍ର ଦାରିଦ୍ର୍ୟତା ପାଇଁ ସେ ଆଗକୁ ବଢି ପାରୁନଥିଲେ । କେନ୍ଦ୍ରମନ୍ତ୍ରୀ ମାମୁନିଙ୍କର ପାଠ ପଢା ପାଇଁ ସମସ୍ତ ଖର୍ଚ୍ଚବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପରେ ମାମୁନି ଏବଂ ତାଙ୍କ ବାପା ବେଶ ଖୁସି ଅଛନ୍ତି ।

ପିଲାଟି ଦିନରୁ ଜଗନ୍ନାଥଙ୍କ ପୂଜା କରିବା ସହ ହିନ୍ଦୁଗ୍ରନ୍ଥ ପଠନ ଏବଂ ବେଦମନ୍ତ୍ର ପ୍ରତି ବେଶ ଆଗ୍ରହ ରହିଛି ମାମୁନିଙ୍କର । ଶ୍ରୀଜଗନ୍ନାଥଙ୍କ ଭଜନ, ମା’ ସରସ୍ବତୀ ଏବଂ ଗଣେଶ ବନ୍ଦନା ସମେତ ସମସ୍ତ ହିନ୍ଦୁ ଦେବଦେବୀଙ୍କ ମନ୍ତ୍ରକୁ ଖୁବ ସୁନ୍ଦର ଏବଂ ସୁମଧୁର କଣ୍ଠରେ ଗାଉଛନ୍ତି ସେ । ହିନ୍ଦୁ ଦେବଦେବୀଙ୍କ ମନ୍ତ୍ର ଓ ଭଜନରେ ନିପୁଣ ଏହି ମୁସଲିମ ଝିଅଟି ଆଜି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ତାଙ୍କ ମୁହଁରୁ ଯିଏ ବି ଭଜନ ଶୁଣୁଛନ୍ତି ସେ ମନ୍ତ୍ରମୁଗ୍ଧ ହୋଇଯାଉଛନ୍ତି ।

ମୁସଲିମ ପରିବାରର ଝିଅ ହୋଇଥିଲେ ବି ହିନ୍ଦୁ ଦେବଦେବୀ ଏବଂ ଓଡ଼ିଆ ସଂସ୍କୃତି, ପରମ୍ପରା ପ୍ରତି ମାମୁନିଙ୍କର ବେଶ ରୁଚି ରହିଛି । ସକାଳୁ ଘରୁ ବାହାରକୁ ଗଲେ ଜଗନ୍ନାଥଙ୍କୁ ମୁଣ୍ତିଆ ମାରି ବାହାରିଥାନ୍ତି । ଏହାସହ ଆଲ୍ଲାଙ୍କୁ ମଧ୍ୟ ମାମୁନି ସମାନ ଭକ୍ତି କରିବା ସହ ନମାଜ ପାଠ ବି କରନ୍ତି । ଝିଅର ଏଭଳି ଆଚରଣକୁ ପରିବାର ଲୋକେ କେବେ ବି ବିରୋଧ କରିନାହାନ୍ତି । ବରଂ ସେମାନେ ଖୁବ୍ ଆନନ୍ଦ ଅନୁଭବ କରୁଥିବା କହିଛନ୍ତି ।

ମାମୁନିଙ୍କର ଇଚ୍ଛା ଭବିଷ୍ୟତରେ ଜଣେ ସଂସ୍କୃତ ଶିକ୍ଷୟିତ୍ରୀ ହୋଇ ଶିକ୍ଷାଦାନ କରିବା ପାଇଁ । ମାତ୍ର ବିଡ଼ମ୍ବନାର ବିଷୟ ମାମୁନିଙ୍କ ବାପା ଜଣେ ଦିନ ମଜୁରିଆ । ପର ଘରେ ମୂଲ ଲାଗିଲେ ପରିବାର ଚଳାନ୍ତି । ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ପରେ ଧାର ଉଧାର କରି ତାଙ୍କ ବାପା କଲେଜରେ ନାମ ଲେଖାଇଛନ୍ତି । ତେବେ କଲେଜରେ ମଧ୍ୟ ମାମୁନି ନିଜ ଇଚ୍ଛା ମୁତାବକ ସଂସ୍କୃତ ବିଷୟକୁ ପାଠ୍ୟକ୍ରମରେ ସାମିଲ କରିଛନ୍ତି ।

ଜାତି ଓ ଧର୍ମକୁ ନେଇ ଅନେକ ଭେଦଭାବ ଥିବା ବେଳେ ସର୍ବଧର୍ମକୁ ଏକାକାର କରି ସମସ୍ତଙ୍କ ଉଦାହରଣ ସାଜିଛନ୍ତି ଏହି ମୁସଲିମ ପରିବାରର ଝିଅ ମାମୁନି ।

Leave A Reply

Your email address will not be published.