Latest Odisha News

BREAKING NEWS

ବାତ୍ୟା ଛନକା, ପରିବା ବଜାରରେ ଝଡ

ଭୁବନେଶ୍ଵର: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଦାନା ସ୍ଥଳଭାଗ ଛଇଁବାକୁ ଆହୁରି ଦୁଇ ଦିନ ଅଛି। କିନ୍ତୁ ଦାନା ପୂର୍ବରୁ ରାଜଧାନୀର ପରିବା ହାଟରେ ସୃଷ୍ଟି ହୋଇଛି ଝଡ଼। ସରକାରଙ୍କ କଥାକୁ ଖାତିର ନକରି ଚଢା ଦରରେ ପରିବା ବିକ୍ରି କରୁଛନ୍ତି ବେପାରି । ଆଉ ବାତ୍ୟା ପୂର୍ବରୁ ଘରେ ସବୁ ଜିନିଷ ସାଇତି ରଖିବାକୁ ବଜାରରେ ନାହିଁ ନଥିବା ଭିଡ ଜମାଉଛନ୍ତି ରାଜଧାନୀବାସୀ। ଏକ ନମ୍ବର ପରିବା ମାର୍କେଟ ଠାରୁ ଆରମ୍ଭ କରି ନୟାପଲ୍ଲୀ ପର୍ଯ୍ୟନ୍ତ ସବୁ ପରିବା ବଜାରରେ ଦେଖାଦେଇଛି ଅସମ୍ଭାଳ ଭିଡ଼। ଦର ପଚାରିବାକୁ ସମୟ ନାହିଁ କି ବ‌ଛାବଛି କରିବାକୁ ବି ଫୁରସତ୍ ନାହିଁ । କେମିତି କଣ କରିକି ବ୍ୟାଗ୍‌ ଭର୍ତ୍ତି କରିବା ହେଉଛି ମୁଖ୍ୟ ଲକ୍ଷ୍ୟ। ବ୍ୟାଗ୍‌ ଭର୍ତ୍ତି ହେଲା ପରେ ଏକ ଆଶ୍ବସ୍ତିଭରା ଦୀର୍ଘଶ୍ବାସ ଛାଡ଼ି ବେପାରୀର ହିସାବ ମୁତାବକ ଟଙ୍କା ଗଣି ବାବୁମାନେ ଘରକୁ ଫେରୁଛନ୍ତି । ଏମିତି କିଛି ରହିଛି ଏବେ ରାଜଧାନୀର ବିଭିନ୍ନ ହାଟରେ ଗରାଖମାନଙ୍କ ଆଚରଣ।

ବାତ୍ୟା ପାଇଁ ଲୋକେ ଆତଙ୍କିତ ହୋଇ ଅଧିକ କିଣାକିଣି କରୁଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବେପାରୀ । ଚଢା ଦରରେ ବିକ୍ରି କରୁଛନ୍ତି ପରିବା । ବିଶେଷ କରି ଆଳୁ, ପିଆଜ ଦର । ଗତ ଦୁଇ ଦିନ ଭିତରେ ଆଳୁ ଓ ପିଆଜ କିଲୋ ପିଛା ୨୦ ଟଙ୍କା ବଢିଲାଣି । ସେପଟେ ପ୍ରାକୃତିକ ବିପର୍ଯ୍ୟୟ ବେଳେ କଳାବଜାରୀ ନ କରି ସହଯୋଗ କରିବାକୁ ବ୍ୟବସାୟୀ ମାନଙ୍କୁ ନିବେଦନ କରିଛନ୍ତି ଯୋଗାଣ ମନ୍ତ୍ରୀ ।

ଗତକାଲି ସଂନ୍ଧ୍ୟାରେ ସାରା ରାଜ୍ୟରେ ପରିବା ଦର ନିୟନ୍ତ୍ରଣ ବାହାରେ ଥିଲା। ଯେଉଁ ପରିବାକୁ ଧରିଲେ କିଲୋପିଛା ଦର ୮୦ ଟଙ୍କା ରହିଛି। କିଛି ପରିବା ଦର ୧୦୦ଟଙ୍କା ଛୁଇଁଲାଣି। ବାଇଗଣ, କଲରା, ପୋଟଳ, ଭେଣ୍ଡି, ଜହ୍ନି, ଅମୃତଭଣ୍ଡା, ଟମାଟୋ ଭଳି ପରିବାରେ ହାତମାରି ହେଉନାହିଁ। ରାଜଧାନୀର ଏ ନମ୍ବର ହାଟରେ ଟମାଟୋ କିଲୋ ୬୦ ଟଙ୍କା, ବନ୍ଧା କୋବି ୬୦ ଟଙ୍କା, ଫୁଲ କୋବି ୬୦, ବିନ୍ ୧୩୦, ସଜନା ଛୁଇଁ କିଲୋ ୮୦, ଲଙ୍କା କିଲୋ ୧୦୦, ଭେଣ୍ଡି ୬୦, ପୋଟଳ ୮୦, ଜହ୍ନି କିଲୋ ୪୦ ଟଙ୍କା,  ସାରୁ ୬୦ ଟଙ୍କା, କଖାରୁ ୨୦ ଟଙ୍କା, ଅଦା ୨୫୦ ଟଙ୍କା, ରସୁଣ ୪୦୦ ଟଙ୍କା, ପିଆଜ ୭୦ ଟଙ୍କା ରହିଛି। ସବୁଠୁ ବଡ କଥା ହେଉଛି ଆଳୁ ।  ଆଳୁ କିଲୋ ୩୫ ରୁ ୪୦ ଟଙ୍କାରେ ବିକ୍ରି ହେଉଛି ।

ତେବେ କେବଳ ଯେ ରାଜଧାନୀରେ ଏପରି ଦୃଶ୍ୟ ରହିଛି ତା’ ନୁହେଁ ରେସମ ସହର ବ୍ରହ୍ମପୁର, ବାଲେଶ୍ଵର, ପୁରୀ, କଟକ, ଭଦ୍ରକ ଆଦି ସ୍ଥାନରେ ମଧ୍ୟ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.