Latest Odisha News

ଆରପାରିରେ ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓ, ୮୧ ବର୍ଷ ବୟସରେ କଲେ ଶେଷ ନିଶ୍ଵାସ ତ୍ୟାଗ

ହାଇଦ୍ରାବାଦ: ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ । ଆଜି ସକାଳେ ଅଭିନୟ ଦେଓଙ୍କ ବାସ ଭବନରେ ସୀମା ଦେଓ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସୀମା ଦେଓ ଦୀର୍ଘ ଦିନ ଧରି ଅଲଜାଇମର ରୋଗରେ ପୀଡିତ ଥିଲେ । ତାଙ୍କ ମୃତ୍ୟୁ ଖବର ନେଇ ସୂଚନା ଦେଇଛନ୍ତି ପୁଅ ଅଭିନୟ ଦେଓ ।

ଅଭିନେତା ରମେଶ ଦେଓ ପତ୍ନୀ ଥିଲେ ସୀମା ଦେଓ । ରମେଶ ଦେଓ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ମଧ୍ୟ କାମ କରିଥିଲେ । ୨ ଫେବୃଆରୀ ୨୦୨୨ରେ ହୃଦଘାତରେ ରମେଶ ଦେଓଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ଚଳଚ୍ଚିତ୍ର ‘ଆନନ୍ଦ’ରେ ରମେଶ ଦେଓ ଅମିତାଭ ବଚ୍ଚନଙ୍କ ବନ୍ଧୁ ଡକ୍ଟର ପ୍ରକାଶ କୁଲକର୍ଣ୍ଣି ଭୂମିକାରେ ଅଭିନୟ କରିଥିଲେ । ସେହି ଫିଲ୍ମରେ ସୀମା ଦେଓ ତାଙ୍କ ପତ୍ନୀ ଭୂମିକାରେ ଥିଲେ । ଅମିତାଭ ବଚ୍ଚନ ତାଙ୍କୁ ଫିଲ୍ମରେ ଭାଉଜ ସମ୍ବୋଧନ କରୁଥିଲେ ।

ଅଭିନେତ୍ରୀ ସୀମା ଦେଓ ତାଙ୍କ କ୍ୟାରିୟରରେ ୮୦ ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ କାମ କରିଥିଲେ। ୧୯୬୦ ମସିହାରେ ଫିଲ୍ମ ‘ମିଆଁ ବିବି ରଜା’ ସହିତ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ସୀମା । ଏହା ପରେ ସେ ‘ଭାବୀ କି ଚୁଡିୟାଁ’, ‘ଦସ୍ ଲାକ୍ଷ୍’, ‘କୋଶିଶ୍’, ‘କୋରା କାଗଜ୍’, ‘ସୁନହରା ସଂସାର’, ‘ସଂସାର’ ଏବଂ ‘ସରସ୍ୱତୀଚନ୍ଦ୍ର’ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୨୧ ମସିହାରେ ହୋଇଥିବା ମରାଠୀ ଚଳଚ୍ଚିତ୍ର ‘ଜୀବନ ସାନ୍ଧ୍ୟା’ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।”

 

Comments are closed.