Latest Odisha News

BREAKING NEWS

ବରିଷ୍ଠ ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଠ ଫିଲ୍ମ ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ସାଧୁ ମେହେରଙ୍କ ପରଲୋକ । ୮୪ ବର୍ଷ ବୟସରେ ମୁମ୍ବାଇରେ ଆଖି ବୁଜିଛନ୍ତି ଏହି ଭେଟେରାନ ଆକ୍ଟର। ଏନେଇ ସୂଚନା ଦେଇଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି ଅର୍ଜନ କରିଥିଲେ ସାଧୁ ମେହେର। ତାଙ୍କ ମୃତ୍ୟୁ ଖବର ଶୁଣି ପୁରା ଓଲିଉଡ୍ ଓ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ସାଧୁ ମେହେର ଓଡ଼ିଆ, ସମ୍ବଲପୁରୀ ଓ ହିନ୍ଦୀ ଆଦି ୨୭ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ୧୯୬୯ ମସିହାରେ ସେ ଭୂବନ ସୋମ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏଥିରେ ସେ ଏକ ମୂକ ପକ୍ଷୀଧରାଳୀ ଚରିତ୍ରରେ ଅଭିନୟ କରିଥିଲେ । ୧୯୭୪ର ଚଳଚ୍ଚିତ୍ର ଅଙ୍କୁର ତାଙ୍କୁ ଜାତୀୟ ସ୍ଥରରେ ଜଣେ ଭଲ ଅଭିନେତାର ସ୍ୱୀକୃତି ଦେଇଥିଲା । ଅଙ୍କୁର ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ସାଧୁ ମେହେର । ସାଧୁ ୨୮ରୁ ଅଧିକ ଓଡ଼ିଆ,  ବଙ୍ଗଳା  ଓ  ହିନ୍ଦୀ  ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

ଇଛା ପୂରଣ, ୨୭ ଡାଉନ୍, ମନ୍ଥନ, ଦେବଶିଶୁ, ନିଶାନ୍ତ, ସଫେଦ ହାତୀ, ମୃଗୟା, ଚରାଚର, ଉତ୍ତରଣ ଆଦି ହିନ୍ଦୀ ଚଳଚ୍ଚିତ୍ର ସେଥି ମଧ୍ୟରୁ ଅନ୍ୟତମ । ୧୯୭୭ ମସିହାରେ ସେ ନିଜ ପ୍ରଥମ ଓଡ଼ିଆ କଥାଚିତ୍ର  ଅଭିମାନର  ନିର୍ଦ୍ଦେଶନା କରିଥିଲେ, ଅଭିମାନ ଥିଲା ଅଭିନେତା ଉତ୍ତମ ମହାନ୍ତିଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ତାପରେ, ସେ  ଅଭିଳାଷ,  ଅପରିଚିତା, ଗୋପରେ ବଢୁଚି କଳାକହ୍ନେଇ ଆଦି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି । ଶୀତ ରାତି, ଭୁଖା ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ୧୯୪୦ ମସିହାରେ ଜନ୍ମିତ ଶ୍ରୀ ମେହେର ୨୦୧୭ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ସେପଟେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ । ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି।  ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡିଆ ଅଭିନେତା। କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି।  ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.