Latest Odisha News

BREAKING NEWS

ପ୍ରସିଦ୍ଧ ଓଡ଼ିଆ ଲେଖକ ନଗେନ୍ଦ୍ର ମହାନ୍ତିଙ୍କ ୯୫ ବର୍ଷ ବୟସରେ ଦେହାନ୍ତ

ଭୁବନେଶ୍ୱର: ‘ଓଡ଼ିଆ ଚରିତକୋଷ’ ପାଇଁ ପ୍ରସିଦ୍ଧିି ଲାଭ କରିଥିବା ଲେଖକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।

ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ନଗେନ୍ଦ୍ର  ମହାନ୍ତି ମଙ୍ଗଳବାର ଦିନ ନୋଏଡାସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।

ଜଣେ ବିଶିଷ୍ଟ ଗବେଷକ ଏବଂ ଲେଖକ ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ୧୨,୦୦୦ରୁ ଅଧିକ ଲୋକଙ୍କ ଜୀବନୀ ସମ୍ବଳିତ ‘ଓଡ଼ିଆ ଚରିତକୋଷ’ ନାମକ ଏକ ପୁସ୍ତକ ରଚନା କରିଥିଲେ।

ସେ ୧୯୩୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୫୨ ମସିହାରେ କଟକର ରାଣୀହାଟ ହାଇସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୫୫ ମସିହାରେ ସେ କୋଲକାତାର ଜାତୀୟ ପାଠାଗାରର ଓଡ଼ିଆ ବିଭାଗରେ ଯୋଗ ଦେଇଥିଲେ ଏବଂ ପରେ ସେଠାରେ ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିଲେ। ପରେ ସେ ଯୁକ୍ତରାଷ୍ଟ୍ର କଂଗ୍ରେସ ଲାଇବ୍ରେରୀରେ ଜଣେ ବରିଷ୍ଠ ଲାଇବ୍ରେରୀଆନ ଭାବରେ ଯୋଗ ଦେଇଥିଲେ। ସେ ‘ଓଡ଼ିଆ ପତ୍ରପତ୍ରିକାମାନଙ୍କ ପରିଚ୍ଛାୟା’ ଏବଂ ‘ଓଡ଼ିଆ ଲିପି ଓ ବର୍ଣ୍ଣ ପରିଚୟ’ ସମେତ ଆହୁରି ଅନେକ ପୁସ୍ତକ ମଧ୍ୟ ରଚନା କରିଥିଲେ।

କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରସ୍ତୁତ “ଭାରତୀୟ ସାହିତ୍ୟର ଜାତୀୟ ଗ୍ରନ୍ଥସୂଚୀ” ସଂକଳନ କରିବାରେ ସେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ। ସେ ଦିଲ୍ଲୀର ଓଡ଼ିଆମାନଙ୍କ ପାଇଁ ‘ସହୃଦୟ ସଭା’ ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ।

 

Comments are closed.