Latest Odisha News

ଭବାନୀପାଟଣାରେ ଆରମ୍ଭ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା

ଭବାନୀପାଟଣା ପୌରାଂଚଳରେ ଅସୁସ୍ଥ ଓ ଦୁର୍ଘଟଣାଗ୍ରସ୍ତ ବୁଲା ଜୀବଜନ୍ତୁଙ୍କୁ ଜରୁରୀ ଚିକିତ୍ସା ଯୋଗାଇବା ସହ ଟୋଲ ଫ୍ରି ନମ୍ବର ୧୯୬୨ ଜରିଆରେ ଫୋନ କରି ସମସ୍ୟା ଜଣାଇପାରିବେ

ଭବାନୀପାଟଣା: ବିଳମ୍ବରେ ହେଉ ପଛେ ପ୍ରାଣୀଙ୍କ ଚିକିତ୍ସା ବାବଦରେ ସରକାରଙ୍କ ଆଭିମୁଖ୍ୟ ବଦଳିବାରେ ଲାଗିଛି । ଏହି ଧାରାରେ ଆଜି ଭବାନୀପାଟଣାରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ କରାଯାଇଛି ।

କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ଜୀବେ ନିରୋଧ ନିଷ୍ଠୁରତା ସମିତି ଅଧ୍ୟକ୍ଷ ଡ.ଗାଭାଲି ପରାଗ ହର୍ଷଦ ଆଜି ପୌର ପରିଷଦ ପରିସରରେ ପ୍ରାଣୀ ସହାୟତା ଆମ୍ବୁଲାନ୍ ସେବାର ଉଦଘାଟନ କରିଥିଲେ । ଏଣିକି ଭବାନୀପାଟଣା ପୌରାଂଚଳରେ ଅସୁସ୍ଥ ଓ ଦୁର୍ଘଟଣାଗ୍ରସ୍ତ ବୁଲା ଜୀବଜନ୍ତୁଙ୍କୁ ଜରୁରୀ ଚିକିତ୍ସା ଯୋଗାଇବା ସହ ଟୋଲ ଫ୍ରି ନମ୍ବର ୧୯୬୨ ଜରିଆରେ ଫୋନ କରି ସମସ୍ୟା ଜଣାଇପାରିବେ ବୋଲି କଳାହାଣ୍ଡି ଜିଲ୍ଲାପାଳ ପ୍ରକାଶ କରିଥିଲେ ।

ପ୍ରଦତ୍ତ ସୂଚନା ଅନୁଯାୟୀ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ପ୍ରତିଦିନ ସକାଳ ୬ଟାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ନିଃଶୁଳ୍କ ଉପଲବ୍‌ଧ ରହିବ । ଆମ୍ବୁଲାନ୍ସରେ ୨ଜଣ ପ୍ରାଣୀ ଚିକିତ୍ସକ, ୨ ଜଣ ପ୍ରାଣୀ ସହାୟକ ଓ ୨ଜଣ ସହାୟକଙ୍କୁ ନିଯୁକ୍ତ କରାଯାଇଛି । ପ୍ରାଣୀ ସହାୟତା ଆମ୍ବୁଲାନ୍ସରେ ନିଯୁକ୍ତ କର୍ମଚାରୀମାନେ ୨ଟି ସିଫ୍ଟରେ କାମ କରିବେ ।

ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉତ୍ସର୍ଗୀକରଣ ଅବସରରେ ସିଡିଭିଓ ଡାକ୍ତର ଚୈତନ୍ୟ ଚରଣ ସେଠୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅଶୋକ ଚନ୍ଦ୍ର ପଣ୍ଡା, ଏଭିଡିଓ ଡାକ୍ତର ଦୟା ସାଗର ଦୁରୀୟା, ପ୍ରାଣୀ ସମ୍ବଦ ଉପ-ନିର୍ଦ୍ଦେଶକ ଡାକ୍ତର ଧର୍ମାନନ୍ଦ ମହାନ୍ତି ଓ ଜିଲ୍ଲା ତାଲିମ ସଂଯୋଜକ ଡାକ୍ତର କେଦାରନାଥ ଖମାରୀଙ୍କ ସମେତ ପୌର ପରିଷଦ ତଥା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.