Latest Odisha News

ପରଲୋକରେ ବର୍ଷିୟାନ୍ ରାଜନେତା ରାମକୃଷ୍ଣ ପଟ୍ଟନାୟକ

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ । ଆଜି ସକାଳ ୯ଟା ୩୦ରେ ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଛି । ୮୧ ବର୍ଷ ବୟସର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାମକୃଷ୍ଣ ପଟ୍ଟନାୟକଙ୍କ ମୃତ୍ୟୁ ନେଇ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି ।

କିଛି ଦିନ ହେବ ଅସୁସ୍ଥ ଥିଲେ ରାମକୃଷ୍ଣ ପଟ୍ଟନାୟକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ଶୋକ ବ୍ୟକ୍ତ କରିଛନ୍ତି ବହୁ ବିଶିଷ୍ଟ ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ।

ଗଞ୍ଜାମ ଜିଲ୍ଲା କୋଦଳା ବିଧାନସଭା ଆସନରୁ ଛଅ ଥର ବିଧାୟକ ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ । ୧୯୭୧ ମସିହାରେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ନିର୍ବାଚନ ଜିତି ବିଧାନସଭା ଆସିଥିଲେ । ୧୯୭୭ରେ -୧୯୮୦ ଯାଏ ଜନତା ପାର୍ଟିରୁ ବିଧାୟକ ହୋଇଥିଲେ । ୧୯୮୫ରୁ କ୍ରମାଗତ ତିନି ଥର ୨୦୦୦ ମସିହା ଯାଏ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ ।

ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ମନ୍ତ୍ରୀ ଥିଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାରରେ ବି ମନ୍ତ୍ରୀ ଥିଲେ ରାମକୃଷ୍ଣ ପଟ୍ଟନାୟକ । ସେ ଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମେତ ଅର୍ଥ, ଗ୍ରାମାଞ୍ଚଳ ବିକାଶ, କୃଷି, ଯୋଜନା ଓ ସମନ୍ୱୟ ମନ୍ତ୍ରୀ । ୧୯୯୮ ଫେବ୍ରୁଆରୀରୁ ନଭେମ୍ବର ଯାଏ ସେ ଥିଲେ ବିଧାନସଭାରେ ବିରୋଧୀ ଦଳ ନେତା ।

ତାଙ୍କ ପତ୍ନୀ କୁମୁଦିନୀ ପଟ୍ଟନାୟକ ପୂର୍ବତନ ସାଂସଦ ଥିଲେ । ରାମକୃଷ୍ଣ ପଟ୍ଟନାୟକଙ୍କୁ କୁହାଯାଉଥିଲା ଗଞ୍ଜା ଟାଇଗର । ଗଞ୍ଜାମ ରାଜନୀତିରେ ଗୋଟିଏ ସେୟରେ ତାଙ୍କର ଦବଦବା ରହିଥିଲା । ୨୦୦୨ ମସିହାରେ ବିଜେଡି ଛାଡ଼ିଥିଲେ ରାମକୃଷ୍ଣ ପଟ୍ଟନାୟକ । କଂଗ୍ରେସ ସହ ସମ୍ପର୍କ ଯୋଡ଼ିଥିଲେ ।

ପରେ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ରାମକୃଷ୍ଣ ଓ ପତ୍ନୀ କୁମୁଦିନୀ ପଟ୍ଟନାୟକ ବିଜେପିର ସାମିଲ ହୋଇଥିଲେ । ତାଙ୍କ ବିୟୋଗରେ ଜଣେ ବିଚକ୍ଷଣ ରାଜନେତାଙ୍କୁ ଆଜି ଓଡ଼ିଶା ହରାଇଛି ।

Comments are closed.