Latest Odisha News

ଭାଇସ ଆଡ଼ମିରାଲ ଆର ହରି କୁମାର ହେବେ ନୌସେନା ମୁଖ୍ୟ

ଦିଲ୍ଲୀ: ଭାଇସ ଆଡ଼ମିରାଲ ଆର ହରି କୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟଭାବେ ନିଯୁକ୍ତି କରାଯାଇଛି। ସେ ବର୍ତ୍ତମାନ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ୍ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ୩୦ରେ ନୂଆ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିବେ। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

BjdElectrycity

ପ୍ରତିରକ୍ଷା ମନ୍ତ୍ରାଳୟ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ଯେ, ନୌସେନାର ବର୍ତ୍ତମାନ ପ୍ରମୁଖ ଆଡ଼ମିରାଲ କରମବୀର ସିଂ ସେବାନିବୃତ୍ତ ହେବା ପରେ ୩୦ ନଭେମ୍ବରକୁ ଆର ହରି କୁମାର ଦାୟିତ୍ୱ ଗ୍ରହଣ କରିବେ।

ଭାଇସ ଆଡ଼ମିରାଲ ଆର ହରି କୁମାରଙ୍କ ଜନ୍ମ ୧୨ ଏପ୍ରିଲ ୧୯୬୨ମସିହାରେ ହୋଇଛି। ସେ ଭାରତୀୟ ନୌସେନାର ଏକଜିକ୍ୟୁଟିଭ ଶାଖାରେ ୧ ଜାନୁଆରୀ ୧୯୮୩ରେ ସାମିଲ ହୋଇଥିଲେ। ନୌସେନାରେ ୩୯ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ନୌସେନାର ବିଭିନ୍ନ ପଦପଦବୀରେ କାମ କରିଛନ୍ତି। ସେ ଆଇଏନଏସ୍ ବିରାଟ ଓ ମିସାଇଲ ବିଧ୍ୱଂସକାରୀ ଆଇଏନଏସ୍ ରଣବୀରର ପରିଚାଳନା ଦାୟିତ୍ୱ ସମ୍ପାଦନ କରିଛନ୍ତି। ଏହାସହ ଆର ହରି କୁମାର ଇଣ୍ଟିଗ୍ରେଟେଡ଼ ଡ଼ିଫେନ୍ସ ଷ୍ଟାଫ ମୁଖ୍ୟଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି।

ଅନ୍ୟପଟେ ଭାରତୀୟ ପୋଲିସ ସେବା ବିଭାଗର ବରିଷ୍ଠ ଅଧିକାରୀ ସେଲ ବର୍ଦ୍ଧନ ସିଂହ ଓ ଅତୁଲ କରୱାଲଙ୍କୁ ସିଆଇଏସଏଫ ଏବଂ ଏନଡ଼ିଆରଏଫର ମୁଖ୍ୟଭାବେ ନିଯୁକ୍ତି କରାଯାଇଛି। ୧୯୮୬ବ୍ୟାଚର ବିହାର କ୍ୟାଡ଼ର ଆଇପିଏସ୍ ଶ୍ରୀ ସିଂହ ବର୍ତ୍ତମାନ ଇଣ୍ଟେଲିଜେନ୍ସ ବ୍ୟୁରୋର ସ୍ୱତନ୍ତ୍ର ନିର୍ଦ୍ଦେଶକଭାବେ କାମ କରୁଛନ୍ତି। ସେ ୨୦୨୩ ମସିହା ଅଗଷ୍ଟ ୩୧ଯାଏଁ ସିଆଇଏସଏଫର ମହାନିର୍ଦ୍ଦେଶକଭାବେ କାମ କରିବେ।  ୧୯୮୮ବ୍ୟାଚ୍ ଗୁଜୁରାଟ କ୍ୟାଡ଼ର ଆଇପିଏସ୍ ଶ୍ରୀ କରୱାଲଙ୍କୁ ଏନଡ଼ିଆରଏଫର ମହାନିର୍ଦ୍ଦେଶକଭାବେ ନିଯୁକ୍ତି କରାଯାଇଛି। କରୱାଲ ବର୍ତ୍ତମାନ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡ଼େମୀର ନିର୍ଦ୍ଦେଶକଭାବେ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.