ଚେନ୍ନାଇ: କରୁରରେ ଆୟୋଜିତ ବିଜୟଙ୍କ ଏକ ରାଲିରେ ଦଳାଚକଟା ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ରବିବାର ବିଜୟ ତାଙ୍କ ନୀଳାଙ୍କରୀ ଘରେ ବୋମା ଧମକ ନେଇ ଏକ ଫୋନ୍ କଲ ପାଇଥିଲେ। ଯାହା ପରେ ପୋଲିସକୁ ଏନେଇ ସୂଚନା ଦିଆଯାଇଥିଲା।
ଫଳରେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳ, ସ୍ନିଫର କୁକୁର ଏବଂ CRPF କର୍ମଚାରୀମାନଙ୍କୁ ସେଠାରେ ନିୟୋଜିତ କରାଯାଇଥିଲା। ଏହାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବିଜୟଙ୍କ ଘର ବାହାରେ କୁକୁରମାନେ ଯାଞ୍ଚ କରୁଥିଲେ। ଏଥିସହିତ ତାଙ୍କର ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ପୋଲିସ ସମଗ୍ର ଅଞ୍ଚଳକୁ ଭଲଭାବରେ ଖୋଜାଖୋଜି କରିବା ସତ୍ୱେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।
ବିଜୟ ଗତ ୩୦ ବର୍ଷ ଧରି ତାମିଲ ସିନେମା ଜଗତରେ ଅଭିନୟ କରି ଆସୁଛନ୍ତି। ସେ ୨୦୨୪ ମସିହାରେ ତାଙ୍କର ରାଜନୈତିକ ଦଳ ଟିଭିକେ ଆରମ୍ଭ କରିଥିଲେ। ତେଣୁ ତାଙ୍କ ଲୋକପ୍ରିୟତା ଯୋଗୁ ରାଲିରେ ସର୍ବଦା ପ୍ରବଳ ଭିଡ଼ ହୋଇଥାଏ। ଏହି ଦୁର୍ଘଟଣାରେ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ସହ ହୃଦୟରୁ ଭାଙ୍ଗି ଯାଇଥିବା କଥା ସେ କହିଛନ୍ତି।ଏଥିସହିତ ସେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଏବଂ ଆହତଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି।
ରାଲି ସମୟରେ ନିଖୋଜ ହୋଇଥିବା ଏକ ୯ ବର୍ଷୀୟ ଝିଅକୁ ବିଜୟ ଖୋଜିବା ପାଇଁ ମଧ୍ୟ ନିବେଦନ କରିଥିଲେ। କିନ୍ତୁ ବର୍ତ୍ତମାନ୍ ପ୍ରଶ୍ନ ଉଠୁଛି ଯେ ଆୟୋଜକମାନେ ଭିଡ଼କୁ ଆକଳନ କରିବାରେ ସଫଳ ହୋଇପାରିଲେ ନାହିଁ କାହିଁକି। ଅପରପକ୍ଷରେ ଏହି ଦୁର୍ଘଟଣା ପାଇଁ ବିଜୟଙ୍କ ଘନିଷ୍ଠ ସହଯୋଗୀ ବୁସି ଆନନ୍ଦଙ୍କ ସମେତ ତିନି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
Comments are closed.