Latest Odisha News

BREAKING NEWS

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି

ଗାନ୍ଧୀନଗର : ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଇସ୍ତଫା । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ରାଜଭବନରେ ସାକ୍ଷାତ କରି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ବିଜୟ ରୂପାଣି । ରୂପାଣିଙ୍କ ସହ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, ରାଜ୍ୟ ବିଜେପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ଗୁଜରାଟ ବିଜେପି ସାଙ୍ଗଠନିକ ସମ୍ପାଦକ ରତ୍ନାକରଙ୍କ ସମେତ ଅନ୍ୟ କିଛି କ୍ୟାବିନେଟ ମନ୍ତ୍ରୀ ମଧ୍ୟ ରୂପାଣିଙ୍କ ସମେତ ରାଜଭବନ ଯାଇଥିବା ସୂଚନା ରହିଛି ।

ଇସ୍ତଫା ପରେ ରୁପାଣି କହିଛନ୍ତି, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ମୋତେ ଏହି ସୁଯୋଗ ଦେଇଥିବାରୁ ଦଳକୁ ମୁଁ ଧନ୍ୟବାଦ ଦେଉଛି । ମୋର ମୁଖ୍ୟମନ୍ତ୍ରୀତ୍ବ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ରାଜ୍ୟର ବିକାଶ ଦିଗରେ ଅନେକ କାର୍ଯ୍ୟ କରିବାରେ ସଫଳ ହୋଇପାରିଛି । ଦଳ ପକ୍ଷରୁ ଏହି ଦାୟିତ୍ବ ମିଳିଥିବା ପାଇଁ ଧନ୍ୟବାଦ ଜଣାଉଛି । ତେବେ ଇସ୍ତଫାର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ଗତକିଛି ଦିନ ଧରି ଗୁଜୁରାଟ ବିଜେପି ସଭାପତି ସି.ଆର ପାଟିଲଙ୍କ ସହ ମୁଖ୍ୟମନ୍ତ୍ରୀ ରୂପାଣିଙ୍କର ମତ ପାର୍ଥକ୍ୟ ରହିଥିଲା । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦଳୀୟ ନିଷ୍ପତ୍ତି ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

ଇସ୍ତଫା ଦେବା ପରେ ତାଙ୍କୁ ଦଳ ଯେଉଁ ଦାୟିତ୍ବ ଦେବ ସେ ଏହାକୁ ତୁଲାଇବେ ବୋଲି କହିଛନ୍ତି ବିଜୟ ରୂପାଣି । ସେପଟେ ବିଜୟ ରୂପାଣିଙ୍କ ଇସ୍ତଫା ପରେ ଆସନ୍ତାକାଲି ବସିବ ବିଜେପି ବିଧାୟକ ଦଳ ବୈଠକ । ଏବଂ ଖୁବଶୀଘ୍ର ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ, ସେନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.