ମୁମ୍ବାଇ: ଚନ୍ଦ୍ରର ଦକ୍ଷିଣ ମେରୁରେ ରୁଷର ଚନ୍ଦ୍ରଯାନ ଲୁନା –୨୫ ସଫ୍ଟ ଲାଣ୍ଡିଂ କରିବାର ଦିନକ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଦୁଇ ଦିନ ପରେ ଇତିହାସ ରଚିବାକୁ ଯାଉଛି ଭାରତ । ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ–୩ ।
ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ ଓ ସବୁଠୁ ଅଧିକ ୧୩୪ କିଲୋମିଟର ଦୂର କକ୍ଷପଥରେ ରହି ଚନ୍ଦ୍ର ପରିକ୍ରମା କରୁଛି । ଚନ୍ଦ୍ରଯାନ–୩ ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବିକ୍ରମ ଲ୍ୟାଣ୍ଡର । ଏହି ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ପୂରଣ ପାଇଁ ଆଗକୁ ବଢୁଛି ବିକ୍ରମ ଲ୍ୟାଣ୍ଡର । ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେବା ପରେ ଏହା ଚନ୍ଦ୍ରପୃଷ୍ଠର ନିକଟବର୍ତ୍ତୀ ହୋଇଛି ।
ଏଥର ସଫ୍ଟ ଲ୍ୟାଣ୍ଡିଂ ବା ସୁରକ୍ଷିତ ଅବତରଣ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏପରିକି ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ ମଧ୍ୟ ସଂଫଳତାର ସହ ଲ୍ୟାଣ୍ଡିଂ କରିବାକୁ ବିକ୍ରମ ଲ୍ୟାଣ୍ଡର ସମର୍ଥ ବୋଲି କୁହାଯାଉଛି । ଏଥିରେ ଏକାଧିକ ଥ୍ରଷ୍ଟର ଖଞ୍ଜା ଯାଇଛି । ଯାହା ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ ।
ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଜ୍ଞାନ ରୋଭର ବାହାରି ଯାଇ ଚନ୍ଦ୍ରପୃଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ । ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ । ଏପଟେ ପ୍ରପଲସନ ମଡ୍ୟୁଲ ନିର୍ଦ୍ଧାରିତ କକ୍ଷପଥରେ ଚନ୍ଦ୍ର ଚାରିପଟେ ବୁଲି ସୌରମଣ୍ଡଳ ବାହାରେ ଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ ।
ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ପାଇଁ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ । ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କଲେ ଭାରତ ଇତିହାସ ରଚିବ । ଯଦି ଚନ୍ଦ୍ରଯାନ–୩ ସଫଳ ହେବ, ତେବେ ବିଶ୍ୱର ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ସୁରକ୍ଷିତ ଭାବେ ଅବତରଣ କରିବ ଭାରତ ।
Comments are closed.