Latest Odisha News

BREAKING NEWS

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଲେ ଗାଁ ଲୋକେ

ବାଲେଶ୍ବର: ସୋମବାର ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ପରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଚାନ୍ଦିପୁର ମୁଣ୍ଢାବଣି ନୋଡାଲ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍ଥାନୀୟ ଲୋକେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

କିଛି ଦିନ ତଳେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଜେନା ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ପରେ ସୋମବାର ବିଦ୍ୟାଳୟ ପରିସରରେ ଏହି ସମସ୍ୟାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗାଁର କିଛି ଶିକ୍ଷକ, ଶିକ୍ଷୟିତ୍ରୀ ଓ କ୍ଲଷ୍ଟର ରିସୋର୍ସ ସେଣ୍ଟରର ସଂଯୋଜକ ଏହି ବୈଠକରେ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ନିଜ ଭୁଲକୁ ସ୍ୱୀକାର କରିବା ସହ ବୈଠକରେ କ୍ଷମା ପ୍ରାର୍ଥନା କରିଥିବା ଜଣାପଡିଛି।

ତେବେ ଅଭିଭାବକମାନେ ଏହାକୁ ନେଇ ପାଟିତୁଣ୍ଡ କରିବା ସହ ସମ୍ପୃକ୍ତ ଶିକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ। କ୍ଷମା ମାଗିବା ପରେ ପ୍ରଧାନ ଶିକ୍ଷକ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୂର୍ବତନ ଶିକ୍ଷକ ତାଙ୍କୁ ଅଟକାଇଥିଲେ। ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତ ଶିକ୍ଷକ ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଏ ସମ୍ପର୍କରେ ସିଆରସିସି ଲମ୍ବୋଦର ଜେନା କହିଛନ୍ତି, ପ୍ରଧାନ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଶିକ୍ଷକ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ମୁଁ ସ୍କୁଲକୁ ଆସିଥିଲି। ପ୍ରଧାନ ଶିକ୍ଷକ ନିଜ ଦୋଷ ସ୍ୱୀକାର କରିଛନ୍ତି।

ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ କମଳଲୋଚନ ବିଶ୍ୱାଳ କହିଛନ୍ତି, ରିପୋର୍ଟ ପରେ ଶିକ୍ଷକଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.