Latest Odisha News

BREAKING NEWS

ଜୀବନକୁ ପାଣି ଛଡାଇ ନଈ ପାରି ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ

ଢେଙ୍କାନାଳ: ଥମୁନି ଜନନୀ ଯନ୍ତ୍ରଣା । ତା ଉପରେ ପୁଣି ଦାଉ ସାଧୁଛି ଲଗାଣ ବର୍ଷା । ରାସ୍ତା ନଥିବାରୁ ଜୀବନକୁ ପାଣି ଛଡାଇ ଖଟିଆରେ ବୁହା ହୋଇ ଉଛୁଳା ନଈ ପାର ହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କରଡ଼ାବଣି ଗାଁରେ ।

ସେହି ଗାଁର ହରିହର ହାଁସଦାଙ୍କ ସ୍ତ୍ରୀ ବୀଜ ହାଁସଦାଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ହେଲେ ଗାଁକୁ ଭଲ ରାସ୍ତା ଖଣ୍ଡିଏ ବି ନାହିଁ, ତା ଉପରେ ପୁଣି ବର୍ଷା ବଢାଇଥିଲା ଚିନ୍ତା । ବର୍ଷା ପାଇଁ ଗାଁ ଦେଇ ଯାଇଥିବା ରାମିଆଳ ନଈ ଉଛୁଳି ରାସ୍ତାରେ ଚାଲୁଛି ଅଣ୍ଟେ ପାଣି । ତେଣୁ କିଛି ବୁଦ୍ଧି ନପାଇ ପରିବାର ଲୋକେ ବୀଜ ହାଁସଦାଙ୍କୁ ଖଟିଆରେ ବୋହି ନଈ ପାର କରି କାମାକ୍ଷାନଗର ଡାକ୍ତରଖାନାକୁ ନେଇଯାଇଥିଲେ । ପରେ ଡାକ୍ତରଖାନାରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।

କେବଳ ବର୍ଷା ହେଲେ ଯେ କରଡ଼ାବଣି ଗାଁର ଏଭଳି ସ୍ଥିତି ତାହା ନୁହେଁ । ଏ ସ୍ଥିତି ସବୁ ଦିନର । ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ବଡ ଗାଡି ତ ଦୂରର କଥା ଯାତାୟତ ପାଇଁ ବି ଅପହଞ୍ଚ ହେଇପଡେ ଗାଁ । ଯେଉଁ କାରଣରୁ ପ୍ରତିଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ । ଆଉ ଅସରାଏ ବର୍ଷା ହେଲେ ତ କଥା ସରିଲା । ସରକାରଙ୍କୁ ଅନେକ ଗୁହାରି ପରେ ବି ଗାଁକୁ ଖଣ୍ଡେ ଭଲ ରାସ୍ତା ହୋଇପାରିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

Comments are closed.