Latest Odisha News

BREAKING NEWS

ପ୍ରତିଶ୍ରୁତି ପୂରଣରେ ବିଫଳ ହେବାରୁ ବିଧାୟକଙ୍କୁ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ

ଭବାନୀପାଟଣା: ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଥିବା ବିଧାୟକଙ୍କୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ବନ୍ଦପାରି ଗ୍ରାମବାସୀ । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ପ୍ରତିବାଦ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗତ ନିର୍ବାଚନ ସମୟରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ବନ୍ଦପାରି ଗାଁରେ ବିଏସଏନଏଲ ଟାୱାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶ୍ରୁତି ପୂରଣ ହୋଇପାରିଲାନାହିଁ । ବର୍ତ୍ତମାନ ପୁଣି ଏକ ନିର୍ବାଚନ ପାଖେଇ ଆସିଲାଣି । ବିଧାୟକ ଗସ୍ତରେ ଆସୁଥିବା ଖବର ପାଇ ଗ୍ରାମବାସୀମାନେ ବାଉଁଶରେ ଏକ ମୋବାଇଲ ଟାୱାର ତିଆରି କରିଥିଲେ । ବିଧାୟକ ରାସ୍ତାରେ ଯାଉଥିବାବେଳେ ଏହାର ଉଦଘାଟନ ପାଇଁ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଅଟକାଇ ଜିଦ୍ ଧରିଥିଲେ । ଗ୍ରାମବାସୀ ଅନେକ ପ୍ରଶ୍ନ କରିଥିଲେ ମଧ୍ୟ ବିଧାୟକ କୌଣସି ଉତ୍ତର ଦେଇନଥିଲେ ।

ସୂଚନା ଯୋଗ୍ୟ, ମୋବାଇଲ ଟାୱାର ଅଭାବରୁ ଲୋକେ ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଏପଟେ ଦାବି ପୂରଣ ନହେଲେ କୌଣସି ନେତାଙ୍କୁ ଗାଁ ଭିତରକୁ ପଶିବାକୁ ଦିଆଯିବ ନାହିଁ ଓ ଅଣ୍ଡା ମାଡ଼ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.