ଯାଜପୁର: ଚୋରା ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଥାନା ଆଉଁରୀ ପଞ୍ଚାୟତ ଢ଼ିହକୁଳା ଅଞ୍ଚଳରେ। ଢିହକୁଳା ଗ୍ରାମରେ ବିଜୟ ମଳିକଙ୍କ ପୁଅ ସଞ୍ଜୟ ମଳିକ ଦୀର୍ଘ ଦିନ ହେବ ଚୋରା ମଦ କାରବାର କରୁ ଆସୁଥିଲା। ଏ ନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା। ଫଳରେ ସୋମବାର ଗ୍ରାମର ଶତାଧିକ ମହିଳାଙ୍କ ସମେତ ଗ୍ରାମବାସୀ ମିଳିତ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି।
ଅଭିଯୋଗକାରୀ ବିଷ୍ଣୁ ପ୍ରିୟା ଜେନାଙ୍କ କହିବା କଥା ହେଲା ସଞ୍ଜୟ ମଳିକ ବେଆଇନ ଭାବେ ଚୋରା ମଦ ବିକ୍ରି କରୁଆସୁଛନ୍ତି। ଫଳରେ ଗ୍ରାମର ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ବୃଦ୍ଧମାନେ ମଧ୍ୟ ନିଶାଶକ୍ତ ହେଉଥିଲେ। ବାରମ୍ବାର ପୋଲିସକୁକୁ ଅବଗତ କଲେ ମଧ୍ୟ କୌଣସି ଫଳ ମିଳୁନଥିଲା। ଫଳରେ ମହିଳାମାନେ କ୍ରୋଧିତ ହୋଇ ଚୋରା ମଦ କାରବାର ଚଳାଇଥିବା ସଞ୍ଜୟ ମଳିକଙ୍କ ଘର ଉପରେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି।
ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୁଳକ ପରିସ୍ଥିତି ସୃଷ୍ଟି ହୋଇଛି। ତୁରନ୍ତ ସ୍ଥାନୀୟ ଅଞ୍ଚଳରୁ ମଦ କାରବାର ବନ୍ଦ ହେବା ସହିତ ମଦ କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Comments are closed.