ଚଣ୍ଡିଗଡ଼: ହରିୟାଣା ସରକାର ଜୁଲାନାରୁ କଂଗ୍ରେସ ବିଧାୟିକା ତଥା ଖ୍ୟାତନାମା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ବଡ଼ ସମ୍ମାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ମେଡାଲ ହାତେଇବାରୁ ବଞ୍ଚିତ ହୋଇଥିବା ବିନେଶଙ୍କୁ ସରକାର ୪ କୋଟି ଟଙ୍କାର ପୁରସ୍କାର ରାଶି ସହ ହରିୟାଣା ସହରୀ ବିକାଶ ପ୍ରାଧିକରଣ ଅଧୀନରେ ଏକ ପ୍ଲଟ୍ ପ୍ରଦାନ କରିବେ।
୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ବର୍ଗରେ ବିନେଶ ଫାଇନାଲରେ ପହଞ୍ଚିଥିଲେ। କିନ୍ତୁ ୭ ଅଗଷ୍ଟରେ ତାଙ୍କ ମ୍ୟାଚ୍ ପୂର୍ବରୁ ଓଜନ ୫୦ କିଲୋଗ୍ରାମରୁ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଫଳରେ ସେ ଅଲିମ୍ପିକ୍ସରୁ ବାଦ ପଡ଼ିଥିଲେ। ତଥାପି, ହରିୟାଣା ସରକାର ଘୋଷଣା କରିଥିଲେ ଯେ ବିନେଶଙ୍କୁ ରୌପ୍ୟ ପଦକ ବିଜେତାଙ୍କୁ ମିଳୁଥିବା ସମସ୍ତ ସୁବିଧା ଓ ପୁରସ୍କାର ପ୍ରଦାନ କରାଯିବ।
କିଛି ଦିନ ପୂର୍ବେ ହରିୟାଣା ବିଧାନସଭା ଅଧିବେଶନ ସମୟରେ ବିନେଶ ମୁଖ୍ୟମନ୍ତ୍ରୀ ନାୟବ ସୈନୀଙ୍କୁ ସରକାରୀ ଘୋଷଣାର କଥା ମନେ ପକାଇଥିଲେ। ଏହାପରେ ସରକାର ତାଙ୍କୁ ୪ କୋଟି ଟଙ୍କା ପୁରସ୍କାର, ଏକ ପ୍ଲଟ୍ କିମ୍ବା ସରକାରୀ ଚାକିରିର ପ୍ରସ୍ତାବ ଦେଇଥିଲେ। ବିନେଶ ଏହାର ଉତ୍ତରରେ ୪ କୋଟି ଟଙ୍କା ସହ ପ୍ଲଟ୍ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାକୁ ଅନୁମୋଦନ କରି ସରକାର ପ୍ଲଟ୍ ଓ ପୁରସ୍କାର ରାଶି ପାଇଁ ଚୂଡ଼ାନ୍ତ ମଞ୍ଜୁରୀ ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି।
ଏହି ସମ୍ମାନ ପାଇଁ ବିନେଶ ହରିୟାଣା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ଏହି ପୁରସ୍କାର କେବଳ ଏକ ପୁରସ୍କାର ନୁହେଁ, ଏହା ମୋର ବର୍ଷ ବର୍ଷ ଧରି ଦେଖିଆସୁଥିବା ସ୍ୱପ୍ନକୁ ସାକାର କରିବାର ଏକ ମାଧ୍ୟମ।” ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଯେ ଖେଳାଳିର ପରିଶ୍ରମର ସମ୍ମାନ ହିଁ ପ୍ରକୃତ ବିଜୟ। ସେ ଜନସାଧାରଣଙ୍କଠାରୁ ମିଳିଥିବା ସ୍ନେହ, ସମ୍ମାନ, ବିଶ୍ୱାସ ଓ ପ୍ରୋତ୍ସାହନକୁ ମଧ୍ୟ କୃତଜ୍ଞତାର ସହ ଗ୍ରହଣ କରିଛନ୍ତି।
ବିନେଶ ଆହୁରି କହିଛନ୍ତି, “ଏବେ ସେହି ସମସ୍ତ ସମ୍ମାନର ଋଣ ପରିଶୋଧ କରିବାର ସମୟ ଆସିଛି। ଜଣେ ଜନପ୍ରତିନିଧି ଓ ସଂଘର୍ଷର ଏକ ଅଂଶ ହୋଇଥିବା ବ୍ୟକ୍ତି ଭାବେ ମୋର ଦାୟିତ୍ୱ ଏବେ କେବଳ ଜଣେ ଖେଳାଳିର ନୁହେଁ, ବରଂ ହଜାର ହଜାର ସ୍ୱପ୍ନ ଦେଖିଥିବା ଅନେକ ଯୁବ ପ୍ରତିଭାଙ୍କ ଭବିଷ୍ୟତ ଗଢ଼ିବାକୁ ଚାହାଁନ୍ତି।” ସେ ନିଜର ସବୁଦିନର ସ୍ୱପ୍ନ ବିଷୟରେ କହିଛନ୍ତି ଯେ ପରବର୍ତ୍ତୀ ପିଢ଼ିର ଖେଳାଳିଙ୍କ ପାଇଁ ଉନ୍ନତ ସୁବିଧା ଓ ଉତ୍ତମ ଖେଳ ପରିବେଶ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ।
ଏହି ପୁରସ୍କାର ରାଶିର ବ୍ୟବହାର କରି ବିନେଶ ଏକ ଆନ୍ତର୍ଜାତିକ ମାନର ଖେଳ ଏକାଡେମୀ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି। ଏହି ଏକାଡେମୀରେ ଯୁବ ଖେଳାଳିମାନେ ଉନ୍ନତ ସମ୍ବଳରେ ନିଜର ପ୍ରତିଭାକୁ ନୂଆ ଉଚ୍ଚତାକୁ ନେଇପାରିବେ। ସେ କହିଛନ୍ତି, “ଏହି ଏକାଡେମୀ ଏମିତି ହେବ ଯେଉଁଠାରେ ଖେଳାଳିମାନେ ସମ୍ବଳର ଅଭାବରୁ ମୁକ୍ତ ରହିବେ ଏବଂ ସେମାନେ ସେହି ସମ୍ମାନ ଓ ପ୍ରେରଣା ପାଇବେ ଯାହା ପ୍ରତ୍ୟେକ ପରିଶ୍ରମୀ ଖେଳାଳିର ଅଧିକାର।” ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି, କାରଣ ଏହା କେବଳ ତାଙ୍କର ନୁହେଁ, ସମଗ୍ର ସମାଜର ସ୍ୱପ୍ନ ବୋଲି ସେ ମତ ଦେଇଛନ୍ତି।
Comments are closed.