ଭାରତୀୟ କ୍ରିକେଟ୍ ଦଳର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ସାଇଡ୍ ଷ୍ଟ୍ରେନ ସମସ୍ୟା ଯୋଗୁଁ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ୍ ସହ ଆଗାମୀ ଏସିଆନ୍ ଗେମ୍ସ ୨୦୨୬ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଉତ୍ତର ପ୍ରଦେଶର ୨୨ ବର୍ଷୀୟ ଲେଗସ୍ପିନର ତଥା ଅଲରାଉଣ୍ଡର ବିପ୍ରଜ ନିଗମଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସାମିଲ କରାଯାଇଛି। ଦୀର୍ଘ ଦିନର ଆହତ ସମସ୍ୟାରୁ ଫେରି ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ୪ ଓଭରରେ ୧୬ ରନ୍ ଦେଇ ୧ଟି ୱିକେଟ୍ ନେଇଥିଲେ । ମାତ୍ର ମ୍ୟାଚ ପରେ ପେଟର ବାମ ପାଖରେ ଯନ୍ତ୍ରଣା ଅନୁଭବ କରିବାରୁ ସ୍କାନ୍ କରାଯାଇଥିଲା ଏବଂ ସାଇଡ୍ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ଫଳରେ ସେ ଆଗାମୀ ମ୍ୟାଚ୍ ଗୁଡ଼ିକରୁ ବାଦ୍ ପଡ଼ିଛନ୍ତି ।
ବରୁଣଙ୍କ ବିକଳ୍ପ ଭାବେ କୁଲଦୀପ ଯାଦବ ଓ ବିପ୍ରଜ ନିଗମଙ୍କ ନାମ ଚର୍ଚ୍ଚାରେ ଥିଲା । ମାତ୍ର କୁଲଦୀପ ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଖେଳିବାକୁ ଥିବାରୁ ସିଲେକ୍ଟରମାନେ ବିପ୍ରଜଙ୍କୁ ଚୟନ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୧୯ଟି ମ୍ୟାଚ୍ ଖେଳି ୧୩ଟି ୱିକେଟ୍ ନେବା ସହ ୧୭୬ ସ୍ଟ୍ରାଇକ୍ ରେଟ୍ରେ ବିସ୍ଫୋରକ ବ୍ୟାଟିଂ କରିବାର ଦକ୍ଷତା ତାଙ୍କର ରହିଛି । ଜାପାନର ଆଇଚି-ନାଗୋୟାରେ ସେପ୍ଟେମ୍ବର ୧୯ରୁ ଏସିଆନ୍ ଗେମ୍ସ ଆରମ୍ଭ ହେଉଥିବା ବେଳେ କ୍ରିକେଟ୍ ମ୍ୟାଚ୍ ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବ । ଭାରତୀୟ ଦଳ ସିଧାସଳଖ କ୍ୱାଟର ଫାଇନାଲ୍ରୁ ନିଜର ଅଭିଯାନ ଆରମ୍ଭ କରିବ । ବରୁଣଙ୍କ ପୂର୍ବରୁ ଦ୍ରୁତ ବୋଲର ହର୍ଷିତ ରାଣା ମଧ୍ୟ ଆହତ ହୋଇ ବାଦ୍ ପଡ଼ିଥିଲେ, ଯାହାଙ୍କ ସ୍ଥାନରେ ୟଶ ଠାକୁରଙ୍କୁ ସାମିଲ କରାଯାଇଥିଲା ।
ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ:ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ୟ୍ୟବଂଶୀ, ସଞ୍ଜୁ ସାମସନ (ୱିକେଟକିପର), ଇଶାନ କିଷାନ (ୱିକେଟକିପର), ତିଲକ ବର୍ମା (ଉପଅଧିନାୟକ), ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ, ୟଶ ଠାକୁର ଏବଂ ବିପ୍ରଜ ନିଗମ ।

