Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନିର୍ମାଣଧୀନ ଅଯୋଧ୍ୟା ମନ୍ଦିରର ଫଟୋ, ସତ ନା ମିଛ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ନିର୍ମାଣଧୀନ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଫଟୋ । ଏ ନେଇ ଖାସ କରି ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ଲୋକ ଏହି ଫଟୋର ସତ୍ୟତାକୁ ନେଇ ଅଙ୍ଗୁଳି ଉଠାଇବା ପରେ ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ଆରମ୍ଭ କରିଥିଲା ଏହାର ପୁଙ୍ଖାନୁପୁଙ୍ଖ ଯାଂଚ ।

ଅନେକ ଲୋକ ସୋସିଆଲ ମିଡିଆ ପୋଷ୍ଟରେ ଏହି ଫଟୋକୁ ଅପଲୋଡ୍ କରିବା ସହ ଅଯୋଧ୍ୟାର ନିର୍ମାଣଧୀନ ରାମ ମନ୍ଦିର ବୋଲି ଉଲ୍ଲେଖ କରିଛନ୍ତି । ତେବେ ବହୁ ଖୋଳତାଡ କରିବା ପରେ ଏହି ଫଟୋର ସତ୍ୟାକୁ ଖୋଜିପାଇବାରେ ଆମେ ସଫଳ ହୋଇଥିଲୁ ।

ଗୁଗଲ୍‌ରେ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମ ହାତରେ ପଡିଥିଲା ହିନ୍ଦୁସ୍ତାନ ଟାଇମ୍ସର ଏକ ଆର୍ଟିକଲ । ତେବେ ଶୁକ୍ରବାର ପ୍ରକାଶିତ ହୋଇଥିବା ଏହି ଆର୍ଟିକଲରେ ରାମ ମନ୍ଦିର ବଦଳରେ କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ କଥା ଉଲ୍ଲେଖ ରହିଥିଲା । ଅଧା ନିର୍ମିତ ରାମ ମନ୍ଦିର ଓ କାଶୀ ବିଶ୍ୱନାଥ ଫଟୋକୁ ଆମେ ଯାଂଚ କରିବା ପରେ ଦୁଇଟି ଫଟୋ ଭିନ୍ନ ନୁହେଁ ବୋଲି ଜଣାପଡିଥିଲା ।

ଭାଇରାଲ୍ ହୋଇଥିବା ଫଟୋଟି ବାରଣାସୀର କାଶୀ ବିଶ୍ୱନାଥ ପ୍ରୋଜେକ୍ଟର ହୋଇଥିଲାବେଳେ ଏହାର ନିର୍ମାଣ ବ୍ୟୟ ଅଟକଳ ରହିଛି ହଜାରେ କୋଟି । ୨୦୨୧, ଅଗଷ୍ଟ ମାସରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି ।

ଅନ୍ୟପଟେ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ ଆଲୋଚନା ମଧ୍ୟରେ ହିଁ ସୀମିତ ରହିଛି । ଏବେ ବି ମନ୍ଦିର ନିର୍ମାଣ କରିବା ଲାଗି ଅଭିଜ୍ଞ ଆର୍କିଟେକ୍ଟମାନଙ୍କ ସହ କମିଟିର ସଦସ୍ୟଙ୍କ କଥାବାର୍ତ୍ତା ଜାରି ରହିଛି ।

ଏହି ସମସ୍ତ ତଥ୍ୟ ଆଧାରରେ ସ୍ପଷ୍ଟ ହୋଇଛି ଯେ, ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫଟୋଗୁଡିକ ଅଯୋଧ୍ୟା ରାମ ମନ୍ଦିର ନୁହେଁ ବରଂ କାଶୀ ବିଶ୍ୱନାଥ ପ୍ରୋଜେକ୍ଟର । ଯାହାର ନିର୍ମାଣ କାମ ବାରଣାସୀରେ ଚାଲିଛି ।

Leave A Reply

Your email address will not be published.