Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌; କରୋନାଭାଇରସ୍ ସହ କ’ଣ ଥିଲା ସଦ୍ଦାମ୍ ହୁସୈନ୍‌ଙ୍କ ସଂପର୍କ ?

ଭୁବନେଶ୍ୱର: ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନାଭାଇରସ୍ । ଏପରି ସମୟରେ ଇରାକର ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ୍ ହୁସୈନ୍‌ଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି ।

ଏକାଧିକ ଟୁଇଟ୍ ଓ ଫେସ୍‌ବୁକ୍ ପୋଷ୍ଟ ଦାବି କରିଛି ୧୯୯୦ରେ ଏକ କ୍ୟାବିନେଟ୍ ମିଟିଂରେ କୁଆଡେ ସଦ୍ଦାମ୍ ହୁସୈନ୍ କରୋନାଭାଇରସ୍‌କୁ ନେଇ ଚର୍ଚ୍ଚା କରିଥିଲେ ।

ଏହି ଭିଡିଓରେ ସଦ୍ଦାମ କହିଥିଲେ ‘ଯଦି ଇରାକ ଆମେରିକାର କଥା ନ ମାନେ ତେବେ ଆମେରିକା କରୋନାଭାଇରସ୍‌ର ବ୍ୟବହାର କରିବ । ଭିଡିଓଟିକୁ ସାଜିଦ୍ ହୁସୈନ୍ ପୀରଭାଇ ନାମକ ଜଣେ ଫେସବୁକ୍ ୟୁଜର୍ ପୋଷ୍ଟ କରିଥିଲେ’ ।

ଏବେ ଏହି ଟୁଇଟ୍ ଉପରେ ଟିକେ ନଜର ପକାନ୍ତୁ । ୧୭ ମାର୍ଚ୍ଚ, ୨୦୨୦ରେ ଟୁଇଟ୍ ହୋଇଥିବା ଏହି ଭିଡିଓର କ୍ୟାପ୍ସନ୍‌ରେ ବାୟୋଲଜିକାଲ୍ ୱେପନ୍ ଭଳି ଶବ୍ଦର ବ୍ୟବହାର ହୋଇଥିଲା ।

ଏହି ଭିଡିଓକୁ ଦେଖିବା ପରେ ମନରେ ଅଜସ୍ର ପ୍ରଶ୍ନ ଉଙ୍କି ମାରେ । ଯଦି ସଦ୍ଦାମ୍ ହୁସୈନ୍ ୧୯୯୦ରେ କରୋନାଭାଇରସ୍ ନେଇ ଧମକ ପାଇଥିଲେ, ତେବେ ତାହା ଆଜି ପର୍ଯ୍ୟନ୍ତ କେମିତି ଲୁଚି ରହିଥିଲା ? ଆଉ ଯଦି ଏହା ସତ , ତା ହେଲେ ସେ ସମୟରେ ଇରାକର ତତ୍କାଳୀନ ରାଷ୍ଟ୍ରପତି ସଦ୍ଦାମ ହୁସୈନ ବୟୋଲଜିକାଲ ହତିଆର ବିଷୟରେ ଜାତିସଂଘକୁ କାହିଁକି ଜଣାଇନଥିଲେ ।

ଏହି ସମସ୍ତ ଦିଗ ଉପରେ ନଜର ପକାଇବା ପରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ କାହା ଇଙ୍ଗିତ କିମ୍ବା ଅନୁରୋଧରେ ନୁହେଁ ବରଂ ଜନତାଙ୍କୁ ସତ୍ୟତା ଜଣେଇବା ପାଇଁ ଛାନ୍‌ଭିନ୍ କରିବାକୁ ନିଶ୍ଚିତ କରିଥିଲା ।

ଆରମ୍ଭ ହୋଇଥିଲା ଛାନଭିନ୍ । ନ୍ୟୁଜ୍ ପେପରଠୁ ଆରମ୍ଭ କରି ଇଣ୍ଟରନ୍ୟାସନାଲ ନ୍ୟୁଜ୍ ଏଜେନ୍ସି ଓ ଭିଡିଓ ଆର୍କାଇଭ୍‌ରେ ବି ଖୋଳତାଡ ହୋଇଥିଲା । ଅବିରତ ଖୋଳତାଡ ପରେ ସାମ୍ନାକୁ ଆସିଥିଲା ଏକାଧିକ ଚାଂଚଲ୍ୟକର ତଥ୍ୟ ।

ଭାଇରାଲ୍ ହୋଇଥିବା ଏହି ଭିଡିଓଟି ୧୦୦% ସତ । ହେଲେ ଏହାକୁ ଟେମ୍ପର୍ କରାଯାଇଛି । ଭିଡିଓଟିକୁ ବାରମ୍ବାର ଦେଖିବା ପରେ ସଦ୍ଦାମ୍‌ଙ୍କ ଓଠ ସହ ତାଙ୍କ ଉଚ୍ଚାରଣ ଓ ଶୁଭୁଥିବା ଶବ୍ଦ ବା ଲିପ୍ସିଂର କୌଣସି ତାଳମେଳ ନଥିଲା । କିଛି ବଡ କଥା ନୁହେଁ ଆପଣ ବି ଏହି ଭିଡିଓକୁ ବାରମ୍ବାର ଦେଖିବା ପରେ ଏହାର ସତ୍ୟତାକୁ ଜାଣିପାରିବେ ।

ତେବେ ଏଠି ପ୍ରଶ୍ନ ଉଠୁଛି ଏହି ଭିଡିଓଟି ଯଦି ଅରିଜିନାଲ ତେବେ ଏହା କେଉଁଠୁ ଆସିଥିଲା । ଭିଡିଓର ଉପର ଭାଗରେ ଥିବା AP ର ଲୋଗୋକୁ ଅନୁକରଣ କରି ଗୁଗଲରେ ‘ଆମେ ସଦ୍ଦାମ୍ ହୁସୈନ୍ AP’ ଲେଖି ସର୍ଚ୍ଚ କରିଥିଲୁ । ଏହା ପରେ ସାମ୍ନାକୁ ଆସିଥିଲା ଏକ ୟୁ ଟ୍ୟୁବ୍ ଭିଡିଓ । ଯାହାର ଟାଇଟଲ୍ ରହିଥିଲା ‘President with his military advisors’

ଏହି ଭିଡିଓଟିକୁ ଆମେରିକାର ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ୍ (AP) ନିଜ ୟୁଟ୍ୟୁବ ଚ୍ୟାନେଲରେ ଜୁଲାଇ ୨୧, ୨୦୧୫ରେ ଅପଲୋଡ୍ କରିଥିଲା । ଭାଇରାଲ୍ ହୋଇଥିବା ଭିଡିଓର ଅବଧି ୨.୦୩ ମିନିଟ୍ ଥିଲାବେଳେ ୟୁଟ୍ୟୁବ୍‌ରେ ଅପଲୋଡ୍ ହୋଇଥିବା ଭିଡିଓର ଅବଧି ମାତ୍ର ୧.୧୮ ମିନିଟ୍ ରହିଥିଲା । ଅନୁଧ୍ୟାନ କରିବା ପରେ ଜଣାପଡିଥିଲା ଭିଡିଓର କିଛି ଅଂଶରେ ଗୋଟିଏ ଭିଡିଓକୁ ବାରମ୍ବାର ଯୋଡା ଯାଇଛି ।

ଅରିଜିନାଲ୍ ଭିଡିଓର ଡେସ୍‌କ୍ରିପ୍ସନ୍ ଅନୁଯାୟୀ ଆରବୀ ଭାଷାରେ ସଦ୍ଦାମ୍ ନିଜ ବରିଷ୍ଠ ସେନା ଅଧିକାରୀଙ୍କୁ କହିଥିଲେ ‘ଆମର ନୂଆ ଟେକ୍ନୋଲଜିକୁ ଆମେରିକୀୟ ଟେକ୍ନୋଲଜି କିମ୍ବା ତାଙ୍କ ବୋମା ପରାସ୍ତ କରିପାରିବନି । ଆମ ସହ ଆଲ୍ଲା ଅଛନ୍ତି’ ।

ତେବେ ଭିଡିଓରେ ଭାଇରସ୍ କିମ୍ବା କରୋନାଭାଇରସ୍ ସମ୍ବନ୍ଧୀୟ ସଦ୍ଦାମ କୌଣସି ଆଲୋଚନା କରିନଥିଲେ । ତାଜା ସ୍ଥିତିରେ କରୋନାଭାଇରସର ଆତଙ୍କ ସାରା ବିଶ୍ୱରେ ଜାରି ରହିଥିଲାବେଳେ ସଦ୍ଦାମ ହୁସୈନଙ୍କ ଏହି ପୁରୁଣା ଭିଡିଓକୁ ବିଭ୍ରାନ୍ତିକର ଭାବେ ଦର୍ଶାଯାଇ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଇଥିଲା । (courtesy Youtube)
https://www.youtube.com/watch?v=VCd1x9q0JtA&feature=emb_logo

Leave A Reply

Your email address will not be published.