ଭୁବନେଶ୍ୱର: ଏକ ସଫଳତମ କୋଭିଡ୍-୧୯ ଭ୍ୟାକ୍ସିନ୍ ପାଇଁ ଅନ୍ତର୍ଜାତୀୟ ସଂସ୍ଥା ଓ ଲାବ୍ରୋଟୋରୀଙ୍କ ମଧ୍ୟରେ ଚାଲିଛି ତୀବ୍ର ପ୍ରତିଯୋଗୀତା । ହେଲେ ଏହି ସମୟରେ ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ଭାଇରାଲ୍ ହୋଇଥିବା ଏହି ଭିଡିଓରେ କିଛି ମାଙ୍କଡଙ୍କୁ ଏକ ସ୍ୱତନ୍ତ୍ର ଲାବ୍ରୋଟାରୀରେ ବାନ୍ଧି କୋଭିଡ୍-୧୯ ଭାକ୍ସିନର ପରୀକ୍ଷଣ ହେଉଥିବା ନେଇ ଦାବି ହୋଇଛି । ଜୀବିତ ଅବସ୍ଥାରେ ମାଙ୍କଡଙ୍କୁ ବାନ୍ଧି କିଛି ପିପିଇ କିଟ୍ ପିନ୍ଧା ଲୋକ ସେମାନଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଇପାରେ ।
ଅନେକ ଲୋକ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛନ୍ତି । ଖାସ୍ କରି କାନ୍ତି ଏମ୍ ନାମକ ଜଣେ ମହିଳା ହିଁ ପ୍ରଥମେ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହି ଭିଡିଓର ସତ୍ୟତା ନେଇ ଛାନ୍ଭିନ୍ ଆରମ୍ଭ କରିଥିଲା ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ । ବହୁ ତନାଘନା ପରେ ସାମ୍ନାକୁ ଆସିଥିଲା ଚାଂଚଲ୍ୟକର ତଥ୍ୟ ।
ଇନ୍ଭିଡ୍ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ସାମ୍ନାକୁ ଆସିଥିଲା ୨୦୧୯ର କିଛି ପୁରୁଣା ଆର୍ଟିକଲ । ଅକ୍ଟୋବର୍ ୨୦ରେ ଜର୍ମାନୀ ବ୍ରୋଡ୍କାଷ୍ଟର୍ “DW Urdu” ଏକ ଭିଡିଓ ଷ୍ଟୋରୀ କରିଥିଲା । ଯାହାର ଶୀର୍ଷକ ରହିଥିଲା “No animal comes back alive from this laboratory” । ସେହିଭଳି ୟୁରୋ ନ୍ୟୁଜ ନାମକ ଏକ ସଂସ୍ଥା ମଧ୍ୟ ଅକ୍ଟୋବର ୧୮, ୨୦୧୯ରେ ଏହି ଆର୍ଟିକଲକୁ ପବ୍ଲିସ୍ କରିଥିଲା ।
ଅନୁସନ୍ଧାନରୁ ଜଣାପଡିଥିଲା ଏହି ଭିଡିଓଟିକୁ ଜର୍ମାନ୍ ହାମ୍ବର୍ଗର Laboratory for Pharmacology and Toxicology (LPT) ରେ ଗୁପ୍ତ ଭାବେ ସୁଟ୍ କରାଯାଇଥିଲା । ଏହି ଷ୍ଟିଙ୍ଗ୍ ଅପରେଶନର ଭାର ସମ୍ଭାଳିଥିଲା SOKO Tierschutz and Cruelty-Free International ନାମକ ଏକ ପଶୁ ସୁରକ୍ଷା ସଂସ୍ଥା ।
ଜଣେ ଅଣ୍ଡର କଭର ଏଜେଣ୍ଟର ଷ୍ଟିଙ୍ଗ୍ ଅପରେଶନରେ ସାମ୍ନାକୁ ଆସିଥିଲା (LPT)ର ବର୍ବରତା । ତେବେ ଭିଡିଓଟିି ସତ ହୋଇଥିଲେ ବି ଏହାର କୋଭିଡ୍- ୧୯ ଭ୍ୟାକ୍ସିନ୍ ପରୀକ୍ଷଣ ସହ କୌଣସି ସଂପର୍କ ନାହିଁ । କିଛି ଲୋକ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ମିଥ୍ୟା ଗୁଜବ ସୃଷ୍ଟି କରିଥିଲେ ।
Comments are closed.