Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଇନ୍ଦିରାଙ୍କ ଅନ୍ତ୍ୟେଷ୍ଟିରେ ନମାଜ ପଢିଥିଲେ ରାହୁଲ ଓ ରାଜୀବ ଗାନ୍ଧୀ !

ଭୁବନେଶ୍ୱର: ସୋନିଆ ଗାନ୍ଧୀ ଓ ଅର୍ଣ୍ଣବ ଗୋସ୍ୱାମୀଙ୍କ ତିକ୍ତତା ଏବେ ସୋସିଆଲ୍ ମିଡିଆରେ ଖୋରାକ୍ ଯୋଗାଇଛି । ଏକ ପୁରୁଣା ଫଟୋ ଏବେ ଭାଇରାଲ୍ ହୋଇଛି । ଯେଉଁଥିରେ ରାହୁଲ ଓ ସ୍ୱର୍ଗତଃ ରାଜୀବ ଗାନ୍ଧୀ ହାତଯୋଡି ଏକ କଫିନ୍ ପାଖରେ ଛିଡା ହୋଇଛନ୍ତି । ଏହି ଫଟୋରେ ସୋନିଆ ଗାନ୍ଧୀ ଓ ପି.ଭି ନରସିମ୍‌ହା ରାଓଙ୍କୁ ବି ଦେଖିବାକୁ ମିଳିଛି ।

“ଇନ୍ଦିରା ଗାନ୍ଧୀଙ୍କ ମୃତଦେହ ସାମ୍ନାରେ ରାହୁଲ ଓ ରାଜୀବ ଗାନ୍ଧୀ ପଢୁଛନ୍ତି କଲ୍‌ମା । ହେଲେ ବି ଦେଶର ଲୋକେ ଏମାନଙ୍କୁ ବ୍ରାହ୍ମଣ କହୁଛନ୍ତି” । କିଛି ଏପରି କ୍ୟାପ୍ସନ୍ ସହ ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାକୁ ଲୋକେ ବି ବହୁମାତ୍ରାରେ ଶେୟାର କରିଛନ୍ତି ।

ଫଟୋର କ୍ୟାପ୍ସନ୍ ସହ କ’ଣ ରହିଛି ସଂପର୍କ ? ସତରେ ଏହି ଫଟୋ କିଛି ଲୁଚି ରହିଥିବା ଗୁଢ ରହସ୍ୟକୁ ଉନ୍ମୋଚନ କରିଛି ? ନା ଏହା ଏକ ମିଥ୍ୟା ଗୁଜବ ମାତ୍ର ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଛାନଭିନ୍ ଆରମ୍ଭ କରିଥିଲା ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ । ତଦନ୍ତରୁ ଜଣାପଡିଥିଲା ଏହି ଫଟୋଟି ସତ ହୋଇଥିଲେ ବି ତଥ୍ୟ ସମ୍ପୁର୍ଣ୍ଣ ମିଛ ।

ଫଟୋଟିକୁ ତୁରନ୍ତ ଆମେ ରିଭର୍ସ ସର୍ଚ୍ଚ କରିବା ମାତ୍ରେ ସାମ୍ନାକୁ ଆସିଥିଲା skyscraper.com ନାମକ ଏକ ୱେବ୍‌ସାଇଟ୍ । ଏଥିରେ ମିଳିଥିବା ଏକ ଫଟୋ ସହ ଭାଇରାଲ୍ ହୋଇଥିବା ଫଟୋ ମେଳ ଖାଇଥିଲା । ଯାହା ୧୦ ଡିସେମ୍ବର, ୨୦୧୬ରେ ପୋଷ୍ଟ ହୋଇଥିଲାବେଳେ କ୍ୟାପ୍ସନ୍ ରହିଥିଲା ପେଶାୱରରେ ବଚ୍ଚା ଖାନ୍ ଓରଫ ଅବ୍ଦୁଲ୍ ଗଫାର୍ ଖାନଙ୍କର ଅନ୍ତ୍ୟେଷ୍ଟି/ଶେଷକୃତ୍ୟ ।

ତେବେ ଏହି ଫଟୋଟି ମିଳିବା ପରେ ବି ଆମ ଛାନଭିନ୍ ଥମିନଥିଲା । ଗୁଗଲ୍‌ରେ ଅଧିକ ଖୋଳତାଡ ପରେ ସାମ୍ନାକୁ ଆସିଥିଲା ଜାନୁଆରୀ ୨୧, ୧୯୮୮ରେ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସ ଖବର କାଗଜର ଏକ ପୁରୁଣା କ୍ଲିପ୍ । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା ବଚ୍ଚା ଖାନ ପ୍ରାଣତ୍ୟ।।ଗ କରିଥିଲାବେଳେ ଶ୍ରଦ୍ଧାଂଜଳି ଦେବାକୁ ପେଶାୱରରେ ପହଂଚିଥିଲେ ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ।

ସେହିଭଳି ଆଉ ଏକ ଟୁଇଟ୍ ବି ଆମ ସାମ୍ନାକୁ ଆସିଥିଲା । ଯାହାକୁ ପାକିସ୍ତାନର ଜଣେ ସାଂସଦ ୨୦୧୬ରେ ଟୁଇଟ୍ କରିଥିଲେ । ତେବେ ସାଂସଦ ଜଣକ ୨୦୧୬ରେ ଏହି ଟୁଇଟକୁ କାହିଁକି କରିଥିଲେ । ତାହା ଏବେ ବି ଅସ୍ପଷ୍ଟ ।

ବୋଧ ହୁଏ ବଚ୍ଚା ଖାନଙ୍କ ନାଁ କିଛି ଲୋକଙ୍କ ପାଇଁ ଅଜଣା ଥିବ । ସେ ଜଣେ ଧାର୍ମିକ ଗୁରୁ ଓ ରାଜନୈତିକ ନେତାର ପରିଚୟ ପାଇଥିଲେ । ଯିଏ ମହାତ୍ମା ଗାନ୍ଧୀଙ୍କ ସହ ମିଳିତ ଭାବେ ଭାରତରେ ବ୍ରିଟିଶରାଜ ବିରୋଧରେ ଅଂହିସାବାଦ ଆପଣେଇ ଲଢେଇ କରିଥିଲେ । ଅତଏବ ଏହି ମହାନ ବ୍ୟକ୍ତିତ୍ୱଙ୍କ ଅନ୍ତ୍ୟଷ୍ଟିରେ ହିଁ ଯୋଗଦେବା ପାଇଁ ରାହୁଲ ଓ ରାଜୀବ ଗାନ୍ଧୀ ପେଶାୱର ଯାଇଥିଲେ ।

Leave A Reply

Your email address will not be published.