ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଭାରତୀୟ କ୍ରିକେଟପ୍ରେମୀ ନିରାଶ ହୋଇ ପଡିଛନ୍ତି । କୋହଲି ଅବସର ନେବା ପରେ ତାଙ୍କ ମନରେ ଏହି ୫ଟି କଥା ରହିଯିବ ।
୧୦ ହଜାର ରନ: କୋହଲି ଆଉ ୭୭୦ ରନ ସଂଗ୍ରହ କରିଥିଲେ ଟେଷ୍ଟ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କରିଥାନ୍ତେି । ସେ ୧୨୩ ମ୍ୟାଚରେ ୩୦ ଶତକ ସହ ୯୨୩୦ ରନ ସଂଗ୍ରହ କରିଛନ୍ତି ।
ଡବ୍ଲ୍ୟୁଟିସି ଟାଇଟଲ: ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଦୁଇ ଥର ପ୍ରବେଶ କରିଛି । ୨୦୨୧ରେ କୋହଲିଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା । ୨୦୨୩ରେ ମଧ୍ୟ ଭାରତ ଫାଇନାଲକୁ ଉନ୍ନୀତ ହୋଇଥିଲା । ରୋହିତ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଥିଲା ।
ପଡିଆରେ ବିଦାୟୀ ସମ୍ବର୍ଦ୍ଧନା ପାଇଲେନି: ଉପଯୁକ୍ତ ସମ୍ମାନ ଏବଂ ପ୍ରିୟ ପ୍ରଶଂସକଙ୍କ ଉପସ୍ଥିତିରେ କ୍ରିକେଟକୁ ଅଲବିଦା କହିବା ଏକ ନିଆରା ଅନୁଭୂତି । କୋହଲିଙ୍କୁ ଏବେ ଆଉ ଏହି ସୁଯୋଗ ମିଳିବନି । ଟି୨୦ ବିଶ୍ୱକପ ଜିତିବା ପରେ ରୋହିତ ଏବଂ ବିରାଟ ସସମ୍ମାନେ ଅବସର ନେଇଥିଲେ ।

ପାକିସ୍ତାନରେ ଖେଳି ପାରିଲେନି ଟେଷ୍ଟ: ପାକିସ୍ତାନ ମାଟିରେ ଭାରତର ବିରାଟ କୋହଲି କୌଣସି ଟେଷ୍ଟ ମ୍ୟାଚ ଖେଳିବା ସୁଯୋଗ ପାଇ ନାହାନ୍ତି । କୋହଲିଙ୍କ ଆନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବା ସମୟରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ଆସି ଯାଇଥିଲା ।
ଶତକବୀରଙ୍କଠାରୁ ରହିଗଲେ ପଛରେ: କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୩୦ ଶତକ ମାରିଛନ୍ତି । ଦିନିକିଆରେ ସଚିନ ତେନ୍ଦୁଲକରଙ୍କୁ ଶତକ ହାସଲରେ ପଛରେ ପକାଇ ଦେଇଥିଲେ । ଏବେ ଟେଷ୍ଟରେ ଭାରତ ପକ୍ଷରୁ ଅଧିକ ଶତକ ହାସଲ ଖେଳାଳିଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି । ସଚିନ ତେନ୍ଦୁଲକର(୪୯), ରାହୁଲ ଡ୍ରାଭିଡ(୩୬) ଓ ସୁନୀଲ ଗାଭାସ୍କାର(୩୪) ତାଙ୍କଠାରୁ ଆଗରେ ରହିଛନ୍ତି ।
Comments are closed.