ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମର କୋଚ ହେବା ପରେ କିଛି ବଡ ଧରଣର ପରିବର୍ତନ ହେବ ବୋଲି ଆଶା କରାଯାଉଥିଲା । ଗମ୍ଭୀର ବ୍ୟକ୍ତିଗତ ଭାବେ ଷ୍ଟାର କଲଚରକୁ ପସନ୍ଦ କରୁ ନ ଥିଲେ । ଭାରତୀୟ କ୍ରିକେଟରେ ସର୍ବଦା କୋଚଙ୍କ ଉପରେ ଖେଳାଳିଙ୍କ ପ୍ରାଧାନ୍ୟ ରହିଥାଏ । ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟରୁ ଅବସର ନେବା ପରେ କ୍ରିକେଟପ୍ରେମୀ ନିରାଶ ହୋଇ ପଡିଛନ୍ତି ।
ଇଂଲଣ୍ଡ ଗସ୍ତରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପରବର୍ତୀ ଚକ୍ର ଆରମ୍ଭ ହେବ । କୋହଲି ଏବଂ ରୋହିତଙ୍କ ଖରାପ ଫର୍ମ ଗମ୍ଭୀରଙ୍କୁ ତାଙ୍କ ରଣନୀତିକୁ ଆଗକୁ ବଢ଼ାଇବାରେ ସହାୟ ହୋଇଥିଲା । ଯୁବ ଖେଳାଳି, ଫର୍ମ ଏବଂ ଫିଟନେସକୁ ଗୁରୁତ୍ୱ ଦେବା ରଣନୀତିରେ ସେ ଆଗେଇଛନ୍ତି । ବିଶେନ ସିଂ ବେଦୀ, ଗ୍ରେଗ ଚ୍ୟାପେଲ ଓ ଅନୀଲ କୁମ୍ବଲେ ଷ୍ଟାର ଖେଳାଳିଙ୍କ ଆଗରେ ବେଶୀ ଦିନ ତିଷ୍ଠି ରହିପାରି ନ ଥିଲେ । ଅପରପକ୍ଷରେ ଜନ ରାଇଟ, ଗ୍ୟାରୀ କର୍ଷ୍ଟେନ, ରବି ଶାସ୍ତ୍ରୀ ଓ ରାହୁଲ ଡ୍ରାଭିଡଙ୍କ ପରି କୋଚ ଖେଳାଳିଙ୍କୁ ନେଇ ରଣନୀତି ପ୍ରସ୍ତୁତ କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ ।
ଗମ୍ଭୀରଙ୍କ ରୋହିତ ଏବଂ କୋହଲିଙ୍କ ସହ ମତଭେଦ ଟିମ ମଧ୍ୟରେ ଫାଟ ସୃଷ୍ଟି କରୁଥିଲା । ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ ଗମ୍ଭୀର ଷ୍ଟାର କଲଚର ଶେଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଆଉ ଏଥିରେ ସେମାନେ ଏବେ ସଫଳ ହୋଇଛନ୍ତି । ଯୁବ ଖେଳାଳିମାନେ ତାଙ୍କ କ୍ୟାରିୟର ସଜାଡିବା ପାଇଁ କୋଚଙ୍କ କଥା ମାନିବାକୁ ବାଧ୍ୟ ହେବେ । ଅନ୍ୟ ଅର୍ଥରେ ଏବେଠାରୁ ଗମ୍ଭୀର ଯୁଗ ଆରମ୍ଭ ହୋଇଛି ।
ଟେଷ୍ଟ କ୍ରିକେଟରେ କୋହଲିଙ୍କ ସ୍ଥାନ ଭରଣା କରିବା ଏତେ ସହଜ ନୁହେଁ । ବିଦେଶ ମାଟିରେ ବଡ ଖେଳାଳିଙ୍କ ଅଭିଜ୍ଞତା ବହୁତ କାମ ଦେଇଥାଏ । ଗମ୍ଭୀର ସମ୍ପୂର୍ଣ୍ଣ ବାଜି ଲଗାଇ ଦେଇଛନ୍ତି । ଏହା ତାଙ୍କ ପାଇଁ ବୁମେରାଂ ମଧ୍ୟ ସାବ୍ୟସ୍ତ ହୋଇପାରେ । ନିକଟରେ ଭାରତ ୨ଟି ଆଇସିସି ଟ୍ରଫି ଜିତିଲା ଏଥିରେ ରୋହିତ ଓ କୋହଲିଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ଏବେ ଏହି ଖେଳାଳି ୨୦୨୭ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଦଳରେ ରହୁଛନ୍ତି କି ନାହିଁ ତାହା ଦେଖିବା କଥା । ରୋହିତ ଓ କୋହଲି ମଧ୍ୟ ଅବସର ନେଇ ପରୋକ୍ଷରେ ଗମ୍ଭୀରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଯେ, ଆମ ବିନା ଭଲ ପ୍ରଦର୍ଶନ କରି ଦେଖାଅ । ଆଉ କିଛି ସିନିୟର ଖେଳାଳି ମଧ୍ୟ ଅବସର ନେବେ ବୋଲି ଆଲୋଚନା ହେଉଛି ।
୩ଟି ଯାକ ଫର୍ମାଟରେ ଅଲଗା ଅଲଗା ଅଧିନାୟକ, ଯୁବ ଖେଳାଳି ଓ ଷ୍ଟାର କଲଚର ଶେଷ କରି ଗମ୍ଭୀର ଏବଂ ଅଗରକର ଏକ ବଡ ଚାଲ ଚଳାଇଛନ୍ତି । ଏହା ଭାରତୀୟ କ୍ରିକେଟକୁ ଆଗକୁ ନେଉଛି କି ବ୍ୟାକଫୁଟକୁ ତାହା ସମୟ କହିବ । ତେବେ ଏହା ସତ୍ୟ ଭାରତୀୟ ଟେଷ୍ଟ କ୍ରିକେଟରେ କୋହଲିଙ୍କ ଆବଶ୍ୟକତା ଆଉ କିଛି ଦିନ ରହିଥିଲା ।
Comments are closed.