Latest Odisha News

BREAKING NEWS

ଅବସର ସଙ୍କେତ ଦେଲେ କି କୋହଲି

ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିିନକିଆ କ୍ରିକେଟ ସିରିଜରେ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ କ୍ରମାଗତ ୨ଟି ମ୍ୟାଚରେ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଯାଇଛନ୍ତି । ଯାହାକି ପ୍ରଶଂସକଙ୍କୁ ନିରାଶ କରିଛି । ଅପରପକ୍ଷରେ ରୋହିତ ଶର୍ମା ପ୍ରଥମ ଦିନିକିଆରେ ବିଫଳ ହୋଇଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଆଡିଲେଡ କୋହଲିଙ୍କ ପସନ୍ଦ ପିଚ । ଏଠାରେ ସର୍ବଦା ସେ ଭଲ ପ୍ରଦର୍ଶନ କରି ଆସିଛନ୍ତି । ଦିନିକିଆ କ୍ୟାରିୟରରେ କୋହଲି ପ୍ରଥମ ଥର କ୍ରମାଗତ ୨ଟି ମ୍ୟାଚରେ ଶୂନରେ ଆଉଟ ହୋଇଛନ୍ତି ।

ଜେଭିୟର ୱାର୍ଟଲେଟ ତାଙ୍କ ଦ୍ୱିତୀୟ ଓଭରରେ ଅଧିନାୟକ ଶୁଭମନ ଗିଲ ଓ କୋହଲିଙ୍କୁ ଆଉଟ କରିଥିଲେ । ଡ୍ରେସିଂ ରୁମକୁ ଫେରୁଥିବା ବେଳେ କୋହଲିଙ୍କ ଈଶାରାର ପ୍ରକୃତ ଅର୍ଥ ଅବଶ୍ୟ ଏ ପର୍ଯ୍ୟନ୍ତ ବୁଝା ପଡିନି । ସେ ହାତ ହଲାଇ ଦର୍ଶକଙ୍କୁ ଅଭିନନ୍ଦନ କରିଥିଲେ । ଆଡିଲେଡରେ ଏହା ତାଙ୍କର ଶେଷ ମ୍ୟାଚ ବୋଲି ସେ ପରୋକ୍ଷରେ ସୂଚନା ଦେଇଥିଲେ । ଅବଶ୍ୟ କୋହଲିଙ୍କ ଏହା ଶେଷ ଅଷ୍ଟ୍ରେଲିଆ ଗସ୍ତ ଏଥିରେ କୌଣସି ସନ୍ଦେହ ନାହିଁ ।

କୋହଲି ଏଲବିଡବ୍ଲ୍ୟୁ ହେବା ପରେ ଡିଆରଏସ ନେବାକୁ ଚାହୁଁଥିଲେ । ରୋହିତ କିନ୍ତୁ ମନା କରିଥିଲେ । କୋହଲି ତାଙ୍କ କଥା ମାନି ପ୍ୟାଭିଲିୟନ ଫେରିଯାଇଥିଲେ । ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଥିବା କୋହଲି ଏବେ କେବଳ ଦିନିକିଆ ଖେଳିବା ଜାରୀ ରଖିଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ଏବେ ବି ଉଭୟ ଖେଳାଳିଙ୍କ ସ୍ୱପ୍ନ ରହିଛି । ଦେଖାଯାଏ ଏହି ଦୁଇ ମହାନ ଖେଳାଳି ଅଷ୍ଟ୍ରେଲିଆ ଗସ୍ତ ପରେ ଅବସର ଘୋଷଣା କରୁଛନ୍ତି ନାଁ ଆଗାମୀ ଦିନିକିଆ ବିଶ୍ୱକପ ଖେଳିବା ପାଇଁ ସଂଘର୍ଷ ଜାରୀ ରଖିବେ ।

Comments are closed.