ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱରେକର୍ଡ ଭାଙ୍ଗିବା ପାଇଁ ବିରାଟ କୋହଲିଙ୍କୁ ଆଉ ୨୫ ରନର ଆବଶ୍ୟକତା ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଦିିନିକିଆ ସିରିଜରେ ସେ ଏହି ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଛି । ବିରାଟ ଆନ୍ତର୍ଜାତୀୟ କ୍ରିକେଟରେ ୨୮୦୦୦ ରନ ପୂରଣ କରିବା ପାଇଁ ଉପରୋକ୍ତ ରନ ଆବଶ୍ୟକ କରୁଛନ୍ତି । ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିବେ । କମ ଇନିଂସରେ ଆନ୍ତର୍ଜାତୀୟ କ୍ରିକେଟରେ ୨୮୦୦୦ ରନ ପୂରଣ କରିବାରେ ସେ ବିଶ୍ୱରେକର୍ଡ ସ୍ଥାପନ କରିବା ସମ୍ଭାବନା ରହିଛି ।
ସଚିନ ୬୪୪ ଇନିଂସରେ ୨୮୦୦୦ ରନ କରିଥିଲେ । ସେ ତାଙ୍କ କ୍ୟାରିୟରରେ ଓଭରାଲ ୭୮୨ ଇନିଂସରେ ୩୪୩୫୭ ରନ ସଂଗ୍ରହ କରିଛନ୍ତି । ଶ୍ରୀଲଙ୍କାର କୁମାର ସଙ୍ଗକାରା ୬୬୬ ଇନିଂସରେ ୨୮୦୧୬ ରନ କରିଥିଲେ । କୋହଲି ୬୨୩ ଇନିଂସରେ ୨୭୯୭୫ ରନ ସଂଗ୍ରହ କରିଛନ୍ତି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଖେଳାଯିବ । ଜାନୁୟାରୀ ୧୧ରୁ ଏହି ସିରିଜ ଆରମ୍ଭ ହେବ ।