ସମ୍ବଲପୁର/ସୁବର୍ଣ୍ଣପୁର:ହନୁମାନ ଜୟନ୍ତୀରେ ହିଂସାକାଣ୍ଡକୁ ନେଇ ତେଜୁଛି ପଶ୍ଚିମଓଡ଼ିଶା ରାଜନୀତି । ଘଟଣାର ପ୍ରତିବାଦରେ ଆଜି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ଏହି ବନ୍ଦ ଡକରାକୁ ସମର୍ଥନ ଜଣାଇଛି ଭାରତୀୟ ଜନତା ପାର୍ଟି । ବନ୍ଦର ପ୍ରଭାବ ୧୪ ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବାଜାର ବନ୍ଦ ରଖିବା ସହ ଗାଡ଼ିମଟର ବନ୍ଦ ରଖିବା ପାଇଁ ପରିଷଦ ପକ୍ଷରୁ ଆହ୍ୱାନ ଦିଆଯାଇଛି ।
ସକାଳୁ ସକାଳୁ ଏହି ୧୪ ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିଛି । ବଲାଙ୍ଗିର ମୁଖ୍ୟ ଡାକଘରେ ତାଲା ପକାଇ ଦେଇଛନ୍ତି ଆନ୍ଦୋଳନକାରୀ । ବଲାଙ୍ଗିରରେ ସକାଳୁ ସକାଳୁ ପିକେଟିଂ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି । ସେହିପରି ବନ୍ଦର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ବି ଦେଖିବାକୁ ମିଳିଛି । ସକାଳୁ ସକାଳୁ ପିକେଟିଂ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି ।ଭବାନୀପାଟଣା ସହରରେ ବସ୍ ଚଳାଚଳ ଠପ ହୋଇଯାଇଛି । ଦେବଗଡ଼ ଜିଲ୍ଲାରେ ପିକେଟିଂ ଆରମ୍ଭ କରି ଦେଇଛନ୍ତି ଆନ୍ଦୋଳନକାରୀ । ଏଠାରେ ଦୋକାନ, ବଜାର ବନ୍ଦ ରହିଛି । ସେହିପରି ବଣାଇ ରଜାମୁଣ୍ଡା ବାଇପାସ୍ରେ NH ଅବରୋଧ କରାଯାଇଛି । ରାସ୍ତାମଝିରେ ଅଟକି ରହିଛି ଗାଡ଼ିମୋଟର ।
ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ସହରର ମୁଖ୍ୟ ଛକଗୁଡିକରେ ରାସ୍ତା ଅବରୋଧ କରାଯାଇଛି । ସହରର ଦୋକାନ ବଜାର ଆଦି ବନ୍ଦ ରହିଛି । ସରକାରୀ , ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ସ୍ଲୁଲ, କଲେଜ ମଧ୍ୟ ବନ୍ଦ ରହିଛି । ବନ୍ଦକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି ।
ସୂଚନାଥାଉ କି, ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସମେତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ।
ସେପଟେ ବନ୍ଦ ଡାକରାକୁ ବିଜେପିର ସମର୍ଥନ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ କହିଛି, ଓଡିଶା ବିଜେପି ହିଂସାକୁ ଉସୁକାଇବାକୁ ରଣନୀତି କରୁଛି । ବିଜେପିକୁ କାଂଉଟର କରିବାକୁ ଆଜିି ସନ୍ଧ୍ୟାରେ ବିଜେଡି ସାରା ରାଜ୍ୟରେ ଶାନ୍ତି ଶୋଭାଯାତ୍ରା କରିବ ବୋଲି ଘୋଷଣା କରିଛି ।
Comments are closed.