Latest Odisha News

BREAKING NEWS

ବର୍ଷାଦିନେ ବୁଲି ଯାଆନ୍ତୁ କର୍ଣ୍ଣାଟକର ‘ଯୋଗ ଜଳପ୍ରପାତ’

କର୍ଣ୍ଣାଟକର ସାଗର ନାମକ ସ୍ଥାନରେ ଥିବା ଯୋଗ ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍‌ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ଏହା ଗେରୁସୋପ୍ ଜଳପ୍ରପାତ ନାଁରେ ପରିଚିତ। ସରାବତୀ ନଦୀଧାରରୁ ସୃଷ୍ଟି ହୋଇଥିବା ଏହି ଜଳପ୍ରପାତ ୨୫୩ ମିଟର ଉଚ୍ଚତା ବିଶିଷ୍ଟ ।

ସ୍ଥାନୀୟ ଯୋଗ ନାମକ ଏକ ଗାଁର ନାମାନୁସାରେ ଏହି ଜଳପ୍ରପାତର ଏପରି ନାମକରଣ ହୋଇଥିବା ଅନୁମାନ କରାଯାଏ। ଅନ୍ୟଦିନ ତୁଳନାରେ ବର୍ଷାଦିନେ ଏହା ଅଧିକ ଆକର୍ଷଣୀୟ ଲାଗିଥାଏ। କାରଣ ବର୍ଷାଦିନେ ଏଥିରେ ଜଳର ପ୍ରବାହ ଖୁବ୍‌ ଜୋର୍‌ରେ ରହିଥାଏ। ନଚେତ୍‌ ଅନ୍ୟ ଦିନରେ ଏହା ଖୁବ୍‌ ସରୁ ଧାରରେ ପାହାଡ ଉପରୁ ଝରୁଥିବାର ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ତ ବର୍ଷାଦିନେ ଏଠାରେ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ।

ଏଠାକୁ ବର୍ଷର ଯେକୌଣସି ସମୟରେ ବୁଲିଯିବାର ସୁବିଧା ରହିଛି। କିନ୍ତୁ ଅନ୍ୟ ଦିନରେ ଏହି ପ୍ରପାତରେ ଜଳର ପ୍ରବାହ ସାମାନ୍ୟ କ୍ଷୀଣ ରହୁଥିବାବେଳେ ବର୍ଷାଦିନେ ଜଳପ୍ରବାହ ଖୁବ୍‌ ଜୋର୍‌ରେ ରହିଥାଏ, ଯାହା ଦେଖିବାକୁ ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ପର୍ଯ୍ୟଟକ ମାନେ ବର୍ଷାଦିନେ ଏହାର ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ଭିଡ଼ ଜମାଇଥାନ୍ତି।

ଏହି ଜଳପ୍ରପାତଟିକୁ ଚତୁଃପାର୍ଶ୍ୱରୁ ବହୁ ଉଚ୍ଚ ପାହାଡ ତଥା ଜଙ୍ଗଲ ଘେରି ରହିଥିବାରୁ ଏଠାକାର ସୌନ୍ଦର୍ଯ୍ୟ ବେଶ୍‌ ମନୋରମ ଲାଗିଥାଏ। ଏଠାକର ଶାନ୍ତ ବାତାବରଣ ଭିତରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ଅନେକ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ।

ଖାସ୍‌ ପକ୍ଷୀପ୍ରେମୀଙ୍କର ଏଠାକୁ ଯା’ଆସ ଲାଗି ରହିଥାଏ। ତେଣୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ସ୍ଥାନୀୟ ପର୍ଯ୍ୟଟନ ବିଭାଗ ତରଫରୁ ଏଠାରେ ସ୍ବତନ୍ତ୍ର ପାହାଚ ମଧ୍ୟ ତିଆରି କରାଯାଇଛି। ଯାହା ଦ୍ୱାରା ଖୁବ୍‌ ନିକଟକୁ ଯାଇ ପର୍ଯ୍ୟଟକ ଏହି ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି।

ହେଲେ ବର୍ଷାଦିନେ ପର୍ଯ୍ୟଟକଙ୍କୁ ଜଳପ୍ରପାତର ଅତି ନିକଟକୁ ଯିବା ପାଇଁ ଏଠାରେ ବାରଣ କରାଯାଇଥାଏ । ଏହି ଜଳପ୍ରପାତ ନିକଟରେ ଥିବା ଏକ ଛୋଟ ଅଭୟାରଣ୍ୟକୁ ମଧ୍ୟ ଆପଣ ବୁଲିବାକୁ ଯାଇପାରିବେ।

କେମିତି ଯିବେ

ହୁବଲି ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର । ଯାହା ଏହି ଜଳପ୍ରପାତଠାରୁ ପାଖାପାଖି ୧୩୦କି.ମି. ଦୂରରେ ଅବସ୍ଥିତ। ସେହିପରି ବାଙ୍ଗାଲୋର୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଏଠାକାର ଦୁଇ ନିକଟତମ ବିମାନବନ୍ଦର। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଉଭୟ ସରକାରୀ ଓ ବେସରକାରୀ ବସ୍‌ ବି ଯା’ଆସ କରିଥାଏ। ପର୍ଯ୍ୟଟକ ନିଜ ସୁବିଧା ଅନୁସାରେ ଯେଉଁଥିରେ ଚାହିଁବେ ସେଥିରେ ଯାଇ ସୁବିଧାରେ ଯୋଗ ଜଳପ୍ରପାତ ନିକଟରେ ପହଞ୍ଚତ୍ପାରିବେ।

Leave A Reply

Your email address will not be published.