Latest Odisha News

ଭାଇରାଲ ହେଉଛି ଶ୍ରୀମନ୍ଦିର ଏବଂ ତିନିଠାକୁରଙ୍କ ଫଟୋ, ଭିଡିଓ; ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ପୁରୀ: କଡା ସୁରକ୍ଷା ଭିତରେ ବି ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ଭିଡିଓ ସୁଟ କରିବା ସହ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଖାଲି ଶ୍ରୀମନ୍ଦିର ନୁହେଁ, ଆଡପ ମଣ୍ଡପରେ ବିଜେ ଶ୍ରୀବିଗ୍ରହଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠେ, ଏତେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ଏବଂ ଆଡପ ମଣ୍ଡପର ଫଟୋ ଭାଇରାଲ ହେଲା କିପରି ? ବାରଣ ସତ୍ତ୍ୱେ କିପରି ଭକ୍ତ ମନ୍ଦିର ଭିତରକୁ ମୋବାଇଲ ଫୋନ ନେଇ ଯାଉଛନ୍ତି ? ଯାଞ୍ଚ ବ୍ୟବସ୍ଥାରେ ଏପରି ଅବହେଳା କାହିଁକି ?

ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ବୁଲି ବୁଲି ଭିଡିଓ ସୁଟ କରିଛନ୍ତି ଏବଂ ଏହି ଭିଡିଓକୁ ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ରୋହିତ ଜୈସ୍ୱାଲ ଏବଂ ତାଙ୍କର ଘର ବାରାଣାସୀରେ ବୋଲି ଜଣାଯାଇଛି ।

ତେବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ଏବଂ କ୍ୟାମେରା ନ ନେବା ପାଇଁ କଡା ନିୟମ ଥିବାବେଳେ ସେ କିପରି ମୋବାଇଲ ନେଇ ଭିତରକୁ ଗଲେ ତାହା ଜଣାପଡି ନାହିଁ ।

ଅନ୍ୟପକ୍ଷେ ଗଜେନ୍ଦ୍ର ସେନାପତି ନାମକ ଜଣେ ଯୁବକଙ୍କ ମୋବାଇଲ୍‌ରୁ ଆଡ଼ପ ମଣ୍ଡପରେ ବିଜେ ଦାରୁଦିଅଁଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି   । ଆଲୋକ କୁମାର ଦାଶ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍‌ କରି ଶ୍ରୀମନ୍ଦିର ପ୍ରଶାସନକୁ ଏ ନେଇ  ଅଭିଯୋଗ କରିଛନ୍ତି ।  ସେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସିଂହଦ୍ୱାର ଥାନା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆ ଯାଇ ନାହିଁ ।

ସୂଚନାଥାଉ କି, ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଭିତରର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗତବର୍ଷ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Comments are closed.