Latest Odisha News

‘ଭୋଟ୍ ପାଇଁ ନୁହଁ ବରଂ ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବି ସେବା କରୁଛନ୍ତି ନବୀନ ପଟ୍ଟନାୟକ’

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ ଆଜି ମୟୁରଭଞ୍ଜ ଲୋକସଭାକ୍ଷେତ୍ରର ଯଶୀପୁର, ସାରସକଣା, ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଏହି ସମୟରେ ସେ ବିରୋଧୀଙ୍କ ଉପରେ କଡା ଆକ୍ରମଣ କରିଛନ୍ତି । ବିରୋଧି ନେତାମାନେ ଆସୁଛନ୍ତି, ସେମାନେ ଭାବୁଛନ୍ତି, ଆଦିବାସୀ ଭାଇଭଉଣୀମାନେ କାହିଁକି ନବୀନ ବାବୁଙ୍କୁ ଏତେ ଭଲ ପାଉଛନ୍ତି । ଆଦିବାସୀ ଭାଇ ଭଉଣୀମାନଙ୍କୁ ବିରୋଧିମାନେ କେବଳ ଭୋଟ୍ ପାଇଁ ବ୍ୟବହାର କରନ୍ତି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀମାନଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି । ସେମାନଙ୍କୁ ସେ ବହୁତ ଭଲ ପାଆନ୍ତି, ସେମାନଙ୍କ ବିକାଶ ପାଇଁ କାମ କରୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।

ପାଣ୍ଡିଆନ ନିର୍ବାଚନୀ ସଭାରୁ ଜନତାଙ୍କୁ ପଚାରିଲେ ଯେ, ୫୦-୬୦ ବର୍ଷ ମଧ୍ୟରେ କୌଣସି ସରକାର ଆଦିବାସୀମାନଙ୍କ କଳା, ସଂସ୍କତି ଓ ଭାଷାର ଉନ୍ନତି ପାଇଁ କିଛି କରିଛନ୍ତି କି ? କେବଳ ନବୀନ ପଟ୍ଟନାୟକ କରିଛନ୍ତି । ବିରୋଧି ବିଜେପିକୁ ପଚାରନ୍ତୁ, ଆପଣମାନଙ୍କ କଳା, ସଂସ୍କୃତି, ଭାଷା ଓ ଭଗବାନଙ୍କ ପାଇଁ କିଛି କହିଛନ୍ତି କି ? ଆମ ପାଇଁ ନବୀନ ବାବୁ କରିଛନ୍ତି । ଏ ଗୁଡ଼ିକ ହେଉଛି ଆଦିବାସୀମାନଙ୍କ ପରିଚୟ । ଯଦି ଏଗୁଡ଼ିକ ପଳେଇବ ତା’ହେଲେ ସେମାନଙ୍କ ପରିଚୟ ଲୁପ୍ତ ହୋଇଯିବ ।

ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବି ନବୀନ ପଟ୍ଟନାୟକ ସେବା କରୁଛନ୍ତି । ସେ ରାଜନୀତି କରୁନାହାନ୍ତି, ଭୋଟ ପାଇଁ କାମ କରୁନାହାନ୍ତି । ସେବା ଜରିଆରେ ସେ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛନ୍ତି । ଆପଣମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଓ ଆପଣଙ୍କ ପିଲାଛୁଆଙ୍କ ଉନ୍ନତି ପାଇଁ ତାଙ୍କୁ କାମ କରିବାକୁ ସୁଯୋଗ ଦିଅନ୍ତୁ ।

ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ‘ଲାଭ’ ଯୋଜନା କରିଛନ୍ତି । ଏଥିରେ ଜଙ୍ଗଲଜାତ ଦ୍ରବ୍ୟ ଯଥା – ଶାଳମଞ୍ଜି, ଶାଳପତ୍ର, ମହୁଲ ଇତ୍ୟାଦିର ଉଚିତ ମୂଲ୍ୟ ସେମାନେ ପାଉଛନ୍ତି । ସେମାନେ ଆଉ ଠକାମିରେ ପଡ଼ୁନାହାନ୍ତି । ଆଦିବାସୀ ପିଲାମାନେ ଆଗରୁ ଯେଉଁ ସ୍କଲାରସିପ ପାଉଥିଲେ, ତାକୁ ମଧ୍ୟ ପାଇବେ । ଡବଲ ଇଞ୍ଜିନ ସରକାର ଗୋଟିଏ ବି ସ୍କଲାରସିପ ଦଉନାହାନ୍ତି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଡବଲ ସ୍କଲାରସିପ ଦଉଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।

ସାରା ଭାରତବର୍ଷରେ ଆଦିବାସୀ ପିଲାଙ୍କ ପାଇଁ ସବୁଠାରୁ ଅଧିକ ହଷ୍ଟେଲ ଓଡ଼ିଶାରେ କରାଯାଇଛି । ହଜାର ହଜାର ହଷ୍ଟେଲରେ ଲକ୍ଷ ଲକ୍ଷ ପିଲା ମାଗଣାରେ ରହି ପାଠ ପଢ଼ୁଛନ୍ତି । ଅନ୍ୱେଷା, ଆକାଂକ୍ଷା ଯୋଜନା ମାଧ୍ୟମରେ ସେମାନଙ୍କୁ ଉଚ୍ଚଶିକ୍ଷିତ କରାଯାଉଛି । କେବଳ ସେମାନଙ୍କର ଉନ୍ନତି ପାଇଁ ଏ ସବୁ କରାଯାଇଛି । ସେମାନଙ୍କର ‘‘ଉନ୍ନତି ଓ ପରିଚୟ’’ ଉଭୟ ଦରକାର ।

Comments are closed.