ପୁରୀ:ଶ୍ରୀନ୍ଦିର ଚାରି ଦ୍ୱାର ଖୋଲିବାକୁ ନେଇ ଦାବି ଜୋର ଧରିଲା । ନେତାଙ୍କଠାରୁ ଜନତା ସମସ୍ତେ ଏବେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପାଇଁ ଅଡି ବସିଛନ୍ତି । କରୋନା ସମୟରେ ଚାରିଦ୍ୱାର ବନ୍ଦ କରାଯାଇଥିଲା । ହେଲେ ଏବେ ଆଉ କରୋନା ଭୟ ନାହିଁ । ତେଣୁ ଚାରି ଦ୍ୱାର ଖୋଲି ଭକ୍ତଙ୍କ ଦର୍ଶନକୁ ସହଜ ଏବଂ ସୁବିଧାଜନକ କରିବା ଲାଗି ଦାବି ଜୋର ଧରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ନେତା ନରସିଂହ ମିଶ୍ରଙ୍କଠାରୁ ଆରମ୍ଭ କରି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଶ୍ରୀମନ୍ଦିର ଚାରି ଦ୍ୱାର ଖାେଲିବା ପାଇଁ ଦାବି କରିଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ କହିଛନ୍ତି, ଚାରୋଟି ଦ୍ୱାରରେ ଭକ୍ତଙ୍କ ଭାବାବେଗ ଅଛି, ଖୋଲିବା ନିତ୍ୟାନ୍ତ ଜରୁରୀ । ମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଉଚିତ ହେବ । ଅନ୍ୟପକ୍ଷେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଲୋକଙ୍କ ମତକୁ ସମ୍ମାନ ଜଣାଇ ସରକାର ଚାରି ଦ୍ୱାର ଖୋଲିଦେବା ଉଚିତ।
ସେହିପରି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଭକ୍ତଙ୍କ ସୁବିଧା ପାଇଁ ସରକାର ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲନ୍ତୁ ବୋଲି ଦାବି କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଛତିଶା ନିଯୋଗ ବୈଠକ ଡାକି ଏକ କମିଟି ଗଢି ୪ ଦ୍ୱାର ନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ବିରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ । ଏହି କମିଟିରେ କୌଣସି ଭକ୍ତଙ୍କୁ ରଖାଯାଇ ନ ଥିବାରୁ କମିଟିକୁ ରଦ୍ଦ କରିବା ପାଇଁ ସେ ଦାବି କରିଛନ୍ତି ।
ବିରୋଧୀଙ୍କ ଦାବିର ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ । ଏବେ ଶ୍ରୀମନ୍ଦିର ଦ୍ୱାର ଖୋଲାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ଯେତେବେଳେ ଆବଶ୍ୟକ ହେବ ନିଶ୍ଚିତ ଭାବେ ଚାରିଦ୍ୱାର ଖୋଲାଯିବ । ସେ ଆହୁରି କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା କାମ ଚାଲିଥିବାରୁ ୪ ଦ୍ୱାର ଦେଇ ଗଲେ ଭକ୍ତ ଆହତ ହେବା ସମ୍ଭାବନା ରହିଛି ।
ଅନ୍ୟପକ୍ଷେ ପୁରୀରେ ଚାରିଦ୍ୱାର ଖୋଲିବା ଦାବିରେ ସଚେତନ ନାଗରିକ ମଞ୍ଚ ଏକ ଲକ୍ଷ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯିବ ।
Comments are closed.