Latest Odisha News

BREAKING NEWS

ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ, ୧୧ ପର୍ବତାରେହୀ ମୃତ, ଆଲର୍ଟ ଜାରି

ଜାକର୍ତ୍ତା: ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ ଘଟି ୧୧ ପର୍ବତାରେହୀଙ୍କ ମୃତ୍ୟୁ ହୋଇଛି । ପଶ୍ଚିମ ସୁମାତ୍ରାର ମାରପି ଆଗ୍ନେୟଗିରି ହଠାତ ଉଦଗୀରଣ ହୋଇଥିଲା । ଏଥିରେ ୧୨ଜଣ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି । ତେବେ ବିପଦକୁ ଏଡାଇବା ପାଇଁ ବର୍ତ୍ତମାନ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ସାମୟିକ ଭାବରେ ବନ୍ଦ ହୋଇଯାଇଛି ।

ସର୍ଚ୍ଚ ଏବଂ ଉଦ୍ଧାରକାରୀ ଦଳର ମୁଖପାତ୍ର ଯୋଡି ହରିୟାୱାନ କହିଛନ୍ତି ଯେ ଆଜି ତିନିଜଣ ଜୀବିତ ବ୍ୟକ୍ତିଙ୍କ ସହ ୧୧ ଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ବିସ୍ଫୋରଣ ସମୟରେ ଏହି ଅଞ୍ଚଳରେ ପ୍ରାୟ ୭୫ ଜଣ ଲୋକ ଥିଲେ।

ରବିବାର ୯୪୮୫ ଫୁଟ ଉଚ୍ଚ ଆଗ୍ନେୟଗିରି ଉଦଗୀରଣ ହୋଇଥିଲା । ଏହାପରେ ସେଠାରେ ଆଲର୍ଟ ଜାରି କରାଯାଇଛି । ସମସ୍ତଙ୍କୁ ସ୍ଥାନାନ୍ତରଣ କରାଯିବା ସହ ଅଧିକାରୀଙ୍କୁ ଉଚ୍ଚସ୍ଥାନରେ ରହି ଗତିବିଧି ଉପରେ ନଜର ରଖିବା ଦାୟିତ୍ୱ ଦିଆଯାଇଛି । ଜାରି ହୋଇଥିବା ଏକ ଭିଡିଓ ଫୁଟେଜରେ ଆଗ୍ନେୟଗିରି ପାଉଁଶର ଏକ ବିରାଟ ଅଂଶ ଆକାଶରେ ବିସ୍ତାର ହୋଇଥିବାର ଦେଖାଯାଇଥିଲା । ଆଜି ୪୯ଜଣ ପର୍ବତାରୋହୀଙ୍କୁ ଏହି ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି ଏବଂ ଅନେକ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମାରପି ସୁମାତ୍ର ଦ୍ୱୀପରେ ସବୁଠାରୁ ସକ୍ରିୟ ଆଗ୍ନେୟଗିରି ମଧ୍ୟରୁ ଅନ୍ୟତମ । ୧୯୭୯ମସିହା ଏପ୍ରିଲ ମାସରେ ମଧ୍ୟ ଏଠାରେ ଲାଭା ଉଦଗୀରଣ ହୋଇଥିଲା । ଏଥିରେ ୬୦ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ବର୍ଷ ଜାନୁଆରୀରୁ ଫେବୃଆରୀ ମଧ୍ୟରେ ମଧ୍ୟ ଆଗ୍ନେୟଗିରି ଉଦଗୀରଣ ହୋଇଥିଲା । ଆଗ୍ନେୟଗିରି ଏଜେନ୍ସି ଅନୁଯାୟୀ, ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗରର ତଥାକଥିତ ‘ରିଙ୍ଗ ଅଫ୍ ଫାୟାର’ରେ ଅବସ୍ଥିତ ଏବଂ ଏଥିରେ ୧୨୭ଟି ସକ୍ରିୟ ଆଗ୍ନେୟଗିରି ରହିଛି ।

Comments are closed.