ବୃନ୍ଦାବନ: ବୃନ୍ଦାବନର ରୁକ୍ମିଣୀ ବିହାର କଲୋନୀରେ ବୁଧବାର ଦିନ ନବନିର୍ମିତ ଚାରି ମହଲାର ସିଦ୍ଧି ବିନାୟକ ହୋଟେଲର ଉଦଘାଟନୀ ଉତ୍ସବ ଚାଲିଥିବା ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା।
ସୂଚନା ଅନୁଯାୟୀ, ଅପରାହ୍ନ ୩:୩୦ ମିି. ସମୟରେ ହୋଟେଲର ଦ୍ୱିତୀୟ ମହଲାର ଏକ କୋଠରୀରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ସମୟରେ ସେଠାରେ ଶହ ଶହ ଲୋକ ଉପସ୍ଥିତ ଥିଲେ। ତେବେ ଏହି ଘଟଣାରେ ଜଣେ ମହିଳା ଏବଂ ଦୁଇ ଜଣ ପିଲା ପୋଡ଼ି ଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ଏହି ଅଗ୍ନିକାଣ୍ଡ ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଥିଲା। ପୁରୁଷ ଏବଂ ମହିଳାମାନେ ହୋଟେଲରୁ ବାହାରକୁ ଦୌଡିବାରେ ଲାଗିଯାଇଥିଲେ ଓ କିଛି ଲୋକ ଛାତ ଉପରେ ମଧ୍ୟ ଚଢ଼ିଯାଇଥିଲେ।
ତୁରନ୍ତ ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚିବା ସହ ଲୋକଙ୍କୁ ଉଦ୍ଧାର କରିଥିଲେ ଏବଂ କ୍ରେନ୍ ସାହାଯ୍ୟରେ ଛାତ ଉପରେ ଠିଆ ହୋଇଥିବା ଲୋକଙ୍କୁ ମଧ୍ୟ ତଳକୁ ଆଣିଥିଲେ। ଏଥିସହିତ ହୋଟେଲ ଭିତରେ ଆଉ କେହି ଅଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଅଗ୍ନିଶମ ଦଳ ଖୋଜାଖୋଜି କରୁଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ ହୋଟେଲର ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।
ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ସିପି ସିଂହ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣା ବିଷୟରେ ପଚାରି ବୁଝିଥିବା ସୂଚନା ମିଳିଛି।