Latest Odisha News

କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

ମୁମ୍ବାଇ: ଘୋଷଣା ହୋଇଛି ଭରତୀୟ ସିନେମାର ସବୁଠାରୁ ବଡ ସମ୍ମାନଜନକ ପୁରଷ୍କାର “ଦାଦା ସାହେବ ଫାଲକେ ପୁରସ୍କାର” । ବର୍ଷିୟାନ କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଦାଦା ସାହେବ ଫାଲ୍‌କେ ପୁରସ୍କାର । ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି ।

ବଲିଉଡର କିମ୍ବଦନ୍ତୀ ୱାହିଦା ରେହମାନ ୨୦୨୧ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇବେ । ୱାହିଦା ରେହମାନ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ କଳାକାର ଭାବରେ କାର୍ଯ୍ୟ କରିଛନ୍ତି । ସାଉଥ୍ ସିନେମା ‘ରୋଜୁଲୁ ମରାଇ’ରୁ ଆରମ୍ଭ ହୋଇଥିଲା ୱାହିଦାଙ୍କ ଅଭିନୟ ଜୀବନ । ଏହା ପରେ ସେ ଅନେକ ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ରରେ ତାଙ୍କର ଦକ୍ଷ ଅଭିନୟ ସହିତ ପ୍ରଶଂସକଙ୍କୁ ନିଜର କରି ପାରିଥିଲେ । ଫିଲ୍ମ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ କାରଣରୁ ତାଙ୍କୁ ଥରେ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଓ ତିନି ଥର ‘ଫିଲ୍ମଫେୟାର ପୁରସ୍କାର’ ମିଳିଥିଲା । ଏଥିସହିତ ଭାରତ ସରକାରଙ୍କ ତରଫରୁ ତାଙ୍କୁ ୧୯୭୨ରେ ‘ପଦ୍ମଶ୍ରୀ’ ଓ ୨୦୧୧ରେ ‘ପଦ୍ମ ବିଭୂଷଣ’ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା କରାଯିବା ସମୟରେ ୱାହିଦାଙ୍କୁ ସର୍ବୋଚ୍ଚ ଫିଲ୍ମ ସମ୍ମାନ ମିଳିବା ଜଣେ ନାରୀର ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ଏକାଗ୍ରତାକୁ ପ୍ରତିପାତିତ କରୁଛି ବୋଲି କହିଛନ୍ତି ମନ୍ତ୍ରୀ ଅନୁରାଗ ଠାକୁର ।

୮୫ ବର୍ଷିୟା ୱାହିଦା ରେହମାନ ଗାଇଡ୍, ପ୍ୟାସା, କାଗାଜ୍ କେ ଫୁଲ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଦମଦାର ଅଭିନୟ, ନୃତ୍ୟ ଏବଂ ସୌନ୍ଦର୍ଯ୍ୟରେ ସେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ କିଣି ପାରିଛନ୍ତି । ପ୍ରଶଂସକମାନେ ୱାହିଦା ରେହମାନ ଏବଂ ଦେବ ଆନନ୍ଦଙ୍କ ଯୋଡିକୁ ବହୁତ ଭଲ ପାଉଥିଲେ । ଏ ଦୁହେଁ ଏକାଠି ଅନେକ ଚଳଚ୍ଚିତ୍ର କରିଛନ୍ତି । ୧୯୩୮ ମସିହା ଫେବୃଆରୀ ମାସ ୩ ତାରିଖରେ ବହିଦା ତାମିଲନାଡ଼ୁର ଛେଙ୍ଗାଲପାଟ୍ଟୁରେ ଜନ୍ମଗ୍ରହଣ କରିଥିଲେ ।

 

Leave A Reply

Your email address will not be published.