ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏହା ୱାଙ୍ଖେଡରେ ଆୟୋଜିତ ହେବେ । କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ ଲକ୍ଷ୍ୟରେ ଥିବା ଭାରତ ଏହି ମ୍ୟାଚରେ ନିଶ୍ଚିତ ଭାବେ ବିଜୟୀ ହେବାକୁ ଚାହିଁବ । ଉଭୟ ଭାରତ ଏବଂ ଇଂଲଣ୍ଡ ସବାଧିକ ୩ ଥର ଲେଖାଏଁ ଫାଇନାଲରେ ପ୍ରବେଶ କରିଛନ୍ତି । ଏମାନଙ୍କ ବ୍ୟତୀତ ଶ୍ରୀଲଙ୍କା ୩ଥର ଫାଇନାଲକୁ ଉନ୍ନୀତ ହୋଇଛି । ୱାଙ୍ଖେଡ ପିଚ ସର୍ବଦା ବ୍ୟାଟ୍ସମ୍ୟାନଙ୍କ ପାଇଁ ଭୂସ୍ୱର୍ଗ ସାବ୍ୟସ୍ତ ହୋଇଛି । ଉଭୟ ଟିମରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଥିବାରୁ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।
ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶାନଙ୍କ ନିକଟରୁ ବଡ ସ୍କୋର ଆଶା କରାଯାଉଛି । ଟସ ଏଠାରେ ବିଶେଷ ପ୍ରଭାବ ପକାଇ ନାହିଁ । ଓଭରାଲ ୧୬ ମ୍ୟାଚରୁ ଆଗ ବ୍ୟାଟିଂ କରିଥିବା ଟିମ ୮ ଓ ଚେଜ କରିବା ଟିମ ୮ ଥର ବିଜୟୀ ହୋଇଛନ୍ତି । ଉଭୟ ଦେଶ ମଧ୍ୟରେ ଓଭରାଲ ୨୯ ମ୍ୟାଚ ଖେଳାଯାଇଛି । ଭାରତ ୧୭ ଓ ଇଂଲଣ୍ଡ ୧୨ ମ୍ୟାଚରେ ବିଜୟୀ ହୋଇଛି । ଟି୨୦ ବିଶ୍ୱକପରେ ଖେଳାଯାଇଥିବା ୫ ମୁକାବିଲାରେ ଭାରତ ୩ ଓ ଇଂଲଣ୍ଡ ୨ରେ ବିଜୟୀ ହୋଇଛି । ତେବେ ୱାଙ୍ଖେଡରେ ଟିମ ଇଣ୍ଡିଆ ପଲା ସାମାନ୍ୟ ଭାରୀ ରହିବ ବୋଲି ଅନୁମାନ କରାଯାଉଛି ।