ନାଗପୁର: ଫସାଇଲା ‘ପୁଷ୍ପା-୨’। ନାଗପୁରର ଏକ ସିନେମା ହଲରେ ବିଳମ୍ବିତ ରାତିରେ ପୁଷ୍ପା-୨ ଫିଲ୍ମ ଦେଖିବାକୁ ଯାଇ ପୋଲିସ୍ ଟିମ୍ ହାତରେ ଧରାପଡିଲା ଜଣେ ଡ୍ରଗ୍ସ ସ୍ମଗଲର।
ହତ୍ୟା ଏବଂ ଡ୍ରଗ୍ସ କାରବାର ମାମଲାରେ ଫେରାର୍ ଥିବା ଏହି ଅପରାଧୀ ପୁଷ୍ପା-୨ ଚଳଚ୍ଚିତ୍ର ଦେଖିବାରେ ମଜିଯାଇଥିଲା। ତେବେ ପୋଲିସ ପୂର୍ବ ଯୋଜନା ମୁତାବକ ଫିଲ୍ମ ଷ୍ଟାଇଲରେ ବ୍ୟକ୍ତି ଜଣକୁ ଗିରଫ କରିଥିଲା। ନାଗପୁର ପୋଲିସର ଏକ ଟିମ୍ ଏନେଇ ସୂଚନା ଦେଇଛନ୍ତି।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଗତ ୧୦ ମାସ ଧରି ଫେରାର ଥିଲା। ଅନୁସନ୍ଧାନରୁ ଜଣାପଡିଥିଲା ଯେ ସେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି। ତେବେ ସେ ନିଶ୍ଚିତ ଭାବରେ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପୁଷ୍ପା ଦେଖିବାକୁ ଆସିବ ବୋଲି ଆମର ଧାରଣା ଥିଲା।
ପରବର୍ତ୍ତୀ ସମୟରେ ସେ ଥିଏଟରରେ ଥିବା କଥା ବିଶ୍ବସ୍ତ ସୁତ୍ରରୁ ଜଣାପଡିଥିଲା ଓ ଆମେମାନେ ତାଙ୍କୁ ସେହିଠାରୁ ଧରିଥିଲୁ। ତେବେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ହତ୍ୟା ଏବଂ ଡ୍ରଗ୍ସ କାରବାର ଭଳି ୨୭ଟି ମାମଲା ରୁଜୁ ହୋଇଥିବାବେଳେ ସେ ଅତୀତରେ ପୋଲିସ ଉପରେ ମଧ୍ୟ ଆକ୍ରମଣ କରିଥିବା ଜଣାପଡିଛି। ଡିସେମ୍ବର ୧୯ ରାତିରେ ନାଗପୁର ପୋଲିସ ତାଙ୍କୁ ଥିଏଟରରୁ ଧରିଥିଲା।