ଓଡ଼ିଶା ସମ୍ବାଦ ବ୍ୟୁରୋ: ନରେନ୍ଦ୍ର ମୋଦୀ ସରକାର ଇସ୍ରାଏଲର ଏନଏସଓ କମ୍ପାନୀ ପ୍ରସ୍ତୁତ କରିଥିବା ଗୁଇନ୍ଦାଗିରି ଭାଇରାସ ପେଗାସସ ଦ୍ୱାରା ବିରୋଧୀ ଦଳର ନେତା, ବିଚାରପତି, ସାମ୍ବାଦିକଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି। ‘ଦ ଓ୍ୱାୟାର’ର ରିପୋର୍ଟ ଆଧାରରେ ବିରୋଧୀ ଏହାକୁ ପ୍ରସଙ୍ଗ କରି ମୋଦୀ ସରକାରକୁ କାଠଗଡାରେ ଛିଡା କରି ଘେରିଥିଲେ। ଏହି ମାମଲା କୋର୍ଟରେ ପହଞ୍ଚାଇ ବିରୋଧୀ ମୋଦୀ ସରକାରକୁ ପାନେ ଦେବାକୁ ଯୋଜନା କରିଥିଲେ। କିନ୍ତୁ ଗୁରୁବାର ସୁପ୍ରିମକୋର୍ଟଙ୍କ ରାୟ ବିରୋଧୀ କଂଗ୍ରେସ, ଟିଏମସି ଭଳି ନେତାଙ୍କୁ ଝଟକା ଦେଇଛି। ଆଉ ଏହି ରାୟକୁ ଆଧାର କରି ଶାସକ ଦଳ ବିଜେପି ମଧ୍ୟ ଆକ୍ରମଣାତ୍ମକ ଭାବେ ବିରୋଧୀଙ୍କୁ ଘେରିଛି । କଂଗ୍ରେସ ଏବଂ ଦଳର ନେତା ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ ବିଜେପି ଦାବି କରିଛି।
ପେଗାସସକୁ ନେଇ ବିରୋଧୀଙ୍କ ପ୍ରଚାର ଫେଲ୍ ମାରିଲା?
ପେଗାସସକୁ ଅସ୍ତ୍ର କରି ବିରୋଧୀ ୨୦୨୧ରେ ମୌସୁମୀ ଅଧିବେଶନ ଚାଲିବାକୁ ଦେଇନଥିଲେ। ସଂସଦରୁ ରାସ୍ତାରେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା କଂଗ୍ରେସ। ଦେଶର ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଯେଉଁ ରାୟ ଶୁଣାଇଛନ୍ତି ତାହା ବିରୋଧୀଙ୍କୁ ଶକ୍ତ ଝଟକା ଦେବା ସହ ବିରୋଧୀଙ୍କୁ ରଣନୀତିକୁ ନେଇ ଏବେ ପ୍ରଶ୍ନ ଉଠିଛି। ପେଗାସସ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ପ୍ରସଙ୍ଗରେ ପ୍ରସ୍ତୁତ କମିଟି ରିପୋର୍ଟ ଉପରେ ପ୍ରଧାନ ବିଚାରପତି ଏନ. ଭି ରମନ୍ନା କହିଛନ୍ତି ଯେ ପେଗାସସ୍ ଗୁପ୍ତଚର ସଫ୍ଟଓ୍ୱୟେରା ବା ଭାଇରାସ ବୋଲି ପ୍ରମାଣିତ ହୋଇନି। ୨୯ଟି ମୋବାଇଲ୍ ଫୋନ୍ ମଧ୍ୟରୁ ୫ ଟିରେ ମାଲୱେର୍ ବା ଭାଇରାସ ମିଳିଥିଲା। ହେଲେ ଏହି ମାଲଓ୍ୱେର୍ ପେଗାସସ୍ ବୋଲି କୁହାଯାଇପାରିବ ନାହିଁ। ରିପୋର୍ଟରେ, ଏହା ମଧ୍ୟ କୁହାଯାଇଛି ଯେ ଏ ସଂକ୍ରାନ୍ତରେ ଥିବା ଆଇନରେ ପରିବର୍ତ୍ତନ କରାଯାଇ କଡାକଡି କରିବାକୁ ପରାମର୍ଶ ଦିଆଯାଇଛି।
‘ସାଇବର ସୁରକ୍ଷାକୁ ମଜବୁତ କରିବାକୁ ପରାମର୍ଶ ଦିଆଯାଇଛି ଏବଂ’ ବେଆଇନ ନୀରିକ୍ଷଣ ବିରୋଧରେ ସମସ୍ୟାର ସମାଧାନ କରିବାକୁ ଏକ ଅଭିଯୋଗ ପ୍ରଣାଳୀ ରହିବା ଉଚିତ ବୋଲି କୋର୍ଟ କହିଛନ୍ତି। କେବଳ ଏତିକି ନୁହେଁ ଏହି ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ କେନ୍ଦ୍ର ସରକାର ମାମଲାର ତଦନ୍ତ ବେଳେ ଠିକ୍ ଭାବେ ସହଯୋଗ କରିନାହାଁନ୍ତି। ଚାରି ସପ୍ତାହ ପରେ ସୁପ୍ରିମକୋର୍ଟ ପୁଣି ଏହି ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି।
ସୁପ୍ରିମକୋର୍ଟଙ୍କ ରାୟରୁ ଏହା ସ୍ପଷ୍ଟ ହୋଇଛି ଯେ ପେଗାସସ୍ ଗୁପ୍ତଚର ପାଇଁ ବ୍ୟବହାର କରାଯାଇନଥିଲା। କମିଟିର ରିପୋର୍ଟରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ବିରୋଧୀଙ୍କ ପେଗାସସକୁ ଏକ ପ୍ରୋପାଗଣ୍ଡା ବା ପ୍ରଚାର। ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପି କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୁର୍ବଳ କରିବା ପାଇଁ ପେଗାସସ୍ ଏକ ଏକ ସୁଚିନ୍ତିତ ଅଭିଯାନ। କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ଦେଶ ପାଇଁ କ୍ଷମା ମାଗିବେ କି ନାହିଁ ସିଧାସଳଖ କଂଗ୍ରେସକୁ ପ୍ରଶ୍ନ କରିଛି ଶାସକ ଦଳ।
ଏହି ପେଗାସସ୍ ପ୍ରସଙ୍ଗରେ କଂଗ୍ରେସ ସହିତ ସମସ୍ତ ବିରୋଧୀ ଦଳ ମୋଦୀ ସରକାର ଗୁଇନ୍ଦାଗିରି କରୁଥିବା ଅଭିଯୋଗ ଆଣିଥିଲେ। ଏମିତିକି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନିଜ ମୋବାଇଲ ଫୋନରେ ଥିବା କ୍ୟାମେରାରେକୁ ଅଠା ଜରିଆରେ ବନ୍ଦ କରିଦେଇଥିଲେ। କାରଣ ମୋବାଇଲରେ ପେଗାସସ ପ୍ରବେଶ କରିବା ପରେ କ୍ୟାମେରା ଜରିଆରେ ଅନେକ କିଛି ବ୍ୟକ୍ତିଗତ ତଥ୍ୟ ଚୋରି କରିନିଏ ବୋଲି ସେ ଅଭିଯୋଗ ଆଣିଥିଲେ। ଯଦିଓ ଆଜିର ରାୟ ପରେ ସେ ପାଟି ଖୋଲି ନାହାନ୍ତି।
Comments are closed.