ଭୁବନେଶ୍ୱର: “ଆପଣ ମାନେ ଖୁସି ତ?”, ସାରା ଓଡ଼ିଶାରେ ବେଶ୍ ଜନପ୍ରିୟତା ହାସଲ କରିସାରିଥିବା ଏହି ସ୍ଲୋଗାନଟିର ଏବେ ମଧ୍ୟ ଆଦୃତି ଲାଭ କରିବାରେ ଲାଗିଛି ।
ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନରେ ଏହି ସ୍ଲୋଗାନଟି କହିବା ପରେ ଏହା ଜନପ୍ରିୟତା ହାସଲ କରିଥିଲା । ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏବେ “ଆପଣ ମାନେ ଖୁସି ତ?” ସ୍ଲୋଗାନଟିକୁ ଗୀତରେ ଗାଇଛନ୍ତି । ଏହି ଗୀତର ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।
ଏହି ଭିଡ଼ିଓଟିରେ ଥିବା ଗୀତଟି ବ୍ୟଙ୍ଗାତ୍ମକ ହୋଇଥିଲେ ମଧ୍ୟ ତାରା ବାହିନୀପତୀ ଗୀତରେ କିଛି ରାଜନୈତିକ ମସଲା ଛିଞ୍ଚିଛନ୍ତି । ଶ୍ରୋତାମାନେ ଏହି ଗୀତଟିର ମଜ୍ଜା ନେବା ସହିତ ସେୟାର୍ କରିବା ଯୋଗୁଁ ଏହା କ୍ରମଶଃ ଭାଇରାଲ୍ ହେବାରେ ଲାଗିଛି ।
ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ବିଭିନ୍ନ ନିର୍ବାଚନୀ ସଭାରେ “ଆପଣ ମାନେ ଖୁସି ତ?” କହିଥିଲେ, ତାରା ଏହାକୁ ଏବେ ଗୀତରେ ଯୋଡ଼ିଦେଇଛନ୍ତି । ତାରାଙ୍କ ରସ ରସିକିଆ ଭାବ ସାଙ୍ଗକୁ କୋମଳ କଣ୍ଠରେ କିଛି ଗାୟିକା ମଧ୍ୟ ତାଙ୍କୁ ସାଥ୍ ଦେଇଛନ୍ତି । ଫଳରେ ଗୀତଟି ବେଶ୍ ଚର୍ଚ୍ଚିତ ହେବାରେ ଲାଗି ଭିଡ଼ିଓଟି ଭାଇରାଲ୍ ହେଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାରା ରାଜ୍ୟରେ ପ୍ରଚୁର ଜନପ୍ରିୟତାକୁ ପାଥେୟ କରି ଶାସକ ବିଜୁ ଜନତା ଦଳ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଶାସନ କରିଚାଲିଛି । ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କ ବିଫଳତାକୁ ନିର୍ବାଚନରେ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରି ମଧ୍ୟ ଅସଫଳ ହୋଇଛନ୍ତି । ତୃଣମୂଳସ୍ତରରେ ଶାସକ ଦଳ ବେଶ୍ ସୁଦୃଢ ରହିଥିବା ବେଳେ ଦୃଢ ନେତୃତ୍ୱ ଉପରେ ଜନସାଧାରଣଙ୍କ ଆସ୍ଥା ଅତୁଟ ରହିପାରିଛି ।
Comments are closed.