Latest Odisha News

BREAKING NEWS

ଗତ ବର୍ଷ ତୁଳନାରେ ହୀରାକୁଦରେ କମିଛି ଜଳସ୍ତର, ସରକାରକୁ ଘରିଲେ ବିଜୟ-ନରସିଂହ

ଭୁବନେଶ୍ୱର: ଯଦିଓ ମହାନଦୀରେ ପାଣି ଶୁଖିଗଲାଣି କିନ୍ତୁ ଦୀର୍ଘବର୍ଷ ହେବ ଖରା ଦିନେ ଲାଗି ରହିଥିବା ଏହି ସମସ୍ୟାର ସମାଧାନ ହୋଇପାରିନି। କିନ୍ତୁ ନେତାଙ୍କ ବୟାନବାଜି ଥମିବରା ନା ନେଉନି।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିବା ସହ ହୀରାକୁଦ ଡ୍ୟାମରେ ଦେଖାଦେଇଥିବା ଭୟଙ୍କର ଜଳ ସଙ୍କଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ଉପୁଜିଥିବା ବେଳେ ରାଜ୍ୟର ୧୩ରୁ ୧୪ଟି ଜିଲ୍ଲା ପ୍ରଭାବିତ ହେବ ବୋଲି ବରିଷ୍ଠ ବିଜେପି ନେତା କହିଛନ୍ତି।

ହୀରାକୁଦ ଡ୍ୟାମର ଜଳସ୍ତର ଶନିବାର ୬୧୬.୬୯ ଫୁଟ ଥିବା ବେଳେ ଗତବର୍ଷ ଏହି ସମୟ ମଧ୍ୟରେ ୬୨୧.୫୧ ଫୁଟ ଥିଲା। ଏହା ଦର୍ଶାଉଛି ଯେ ହୀରାକୁଦର ଜଳସ୍ତରରେ ୫ ଫୁଟର ହ୍ରାସ ଘଟିଛି ଏବଂ ଗ୍ରୀଷ୍ମ ମାସରେ ସ୍ଥିତି କଳ୍ପନା କରିହେବ। ଇତିହାସରେ ପ୍ରଥମ ଥର ପାଇଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୪ ଦିନ ମଧ୍ୟରେ ୧ ଫୁଟ୍ ହ୍ରାସ ପାଇଛି।

ଏହି ଧାରା ଜାରି ରହିଲେ ହୀରାକୁଦର ଜଳସ୍ତର ୬୦୦ଫୁଟକୁ ହ୍ରାସ ପାଇବ ଏବଂ ଏହା ବିଦ୍ୟୁତ ଉତ୍ପାଦନ ଓ ଜଳସେଚନକୁ ପ୍ରଭାବିତ କରିବ ବୋଲି ବିଜୟ ମହାପାତ୍ର କହିଛନ୍ତି।

ବିଜେପିର ଏହି ବରିଷ୍ଠ ନେତା ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱରରେ ମଧ୍ୟ ପାନୀୟ ଜଳ ସମସ୍ୟା ଉପୁଜିବା ଆଶଙ୍କା ରହିଛି। ଛତିଶଗଡ଼ ସରକାର ମନଇଚ୍ଛା ବ୍ୟାରେଜ୍ ନିର୍ମାଣ କରିଥିବା ବେଳେ ଏହାର ପ୍ରଭାବ ଏବେ ୨୦୨୩ରେ ଓଡ଼ିଶାରେ ଦେଖିବାକୁ ମିଳୁଛି। ଏବେ ସୁଦ୍ଧା ଜଳଭଣ୍ଡାରରେ ୧୨ ହଜାରରୁ ୧୫ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪୮୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି।

ଦୈନିକ ୮୧୫ କ୍ୟୁସେକ୍ ଜଳ ବାଷ୍ପୀକରଣ ହେଉଛି ଏବଂ ଏହା ଏବେ ଏକ ଉଦବେଗଜନକ ସ୍ଥିତି ସୃଷ୍ଟି କରୁଛି। ଓଡ଼ିଶାକୁ ଏଭଳି ସ୍ଥିତିକୁ ଠେଲି ଦିଆଯାଉଛି ଯେତେବେଳେ ଆଗକୁ କ’ଣ ହେବ କେହି କହିପାରିବେ ନାହିଁ। ଯଦି ଜଳସ୍ତର ୬୦୦ ଫୁଟକୁ ଖସି ଆସେ ତେବେ ଜୁନ୍ ମାସରେ ହୀରାକୁଦରେ ମୃତ ଜଳଭଣ୍ଡାର ରହିବ ବୋଲି ସେ ସନ୍ଦେହ କରିଛନ୍ତି।

ଯେତେବେଳେ ଓଡ଼ିଶା ସରକାର ଅନ୍ୟ କାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ମହାନଦୀର ତଳମୁଣ୍ଡରେ ଏକାଧିକ ବ୍ୟାରେଜ୍ ନିର୍ମାଣ କରିପାରିଥାନ୍ତେ। ସବୁ ଜାଣି ମଧ୍ୟ ଓଡ଼ିଶା ସରକାର କିଭଳି ଚୁପ୍ ବସିଲେ, ତାହା ଆଶ୍ଚର୍ୟ୍ୟ କରୁଛି ବୋଲି ବିଜୟ ମହାପାତ୍ର କହିଛନ୍ତି।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଁ ପ୍ରସ୍ତାବ ଦେଇଛି ଏବଂ ବାଚସ୍ପତି ଏହାକୁ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି ଯେ ସେ ବାହାରେ ନକହି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଗୃହକୁ ଅବଗତ କରାନ୍ତୁ। ୨୦୦୦ ମସିହାରୁ ମହାନଦୀ ପ୍ରସଙ୍ଗରେ ଆଲୋଚନା ଚାଲିଛି। ୨୦୦୦ ମସିହାରେ ରାଜ୍ୟ ସରକାର ଦାବି କରିଥିଲେ ଯେ ଅଣ ମୌସୁମୀ ସମୟରେ ହୀରାକୁଦକୁ ଅଧିକ ପାଣି ଆସୁଛି। ୨୦୨୧ରେ ସରକାର କହିଲେ ଯେ ଜଳ ପ୍ରବାହ କମିଛି ଏବଂ ବ୍ୟାରେଜ୍ ନିର୍ମାଣ ପରେ ପୁଣି ସରକାର ଦାବି କଲେ ଯେ ଜଳ ପ୍ରବାହ ବୃଦ୍ଧି ପାଇଛି। କିନ୍ତୁ ଏବେ ମହାନଦୀ ଶୁଖିଲା ପଡୁଥିବାରୁ ସରକାର ନିଜକୁ ଏକ ଅଡ଼ୁଆ ପରିସ୍ଥିତିରେ ପକାଇଇଛନ୍ତି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ନେଇ ଦୁଇଟି କମିଟି ଗଠନ କରାଯାଇଥିଲା। ଓଡ଼ିଶା ସରକାର ବିରୋଧୀଙ୍କୁ ବିଶ୍ୱାସକୁ ନେଉନାହାନ୍ତି, ଯେଉଁଥିପାଇଁ ବିଫଳ ହେଉଛନ୍ତି ବୋଲି ବଲାଙ୍ଗୀର ବିଧାୟକ କହିଛନ୍ତି।

Comments are closed.