Latest Odisha News

ଏଲଏଲସି ଯୁବ ଖେଳାଳିଙ୍କୁ ବିଶେଷ ଭାବେ ପ୍ରୋତ୍ସାହିତ କରୁଛି: ୟୁସୁଫ

ସୁରଟ: ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୟୁସୁଫ ପଠାନ ଏବେ ଲିଜେଣ୍ଡସ ଲିଗ କ୍ରିକେଟରେ କୋଣାର୍କ ସୂର୍ଯ୍ୟାସ ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ଚଳିତ ସଂସ୍କରଣରେ କୋଣାର୍କ ସୂର୍ଯ୍ୟାସ ଓଡିଶା ତାର ପ୍ରଥମ ମ୍ୟାଚରେ ମଣିପାଲ ଟାଇଗର୍ସକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଲିଜେଣ୍ଡସ ଲିଗ ଯୁବ ଖେଳାଳିଙ୍କୁ କ୍ରିକେଟ ଖେଳିବା ପାଇଁ ଆକୃଷ୍ଟ କରିବ ବୋଲି ୟୁସୁଫ କହିଛନ୍ତି । ୨୦୦୭ରେ ସେ ଆନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରିଥିଲେ । ଆମେ ବିଶ୍ୱକପ ଜିତିଥିଲୁ । ଏହା ମଧ୍ୟରେ ୧୭ ବର୍ଷ ବିତିଗଲାଣି ।

ଏବେ ଟି୨୦ ଫର୍ମାଟରେ ଅନେକ ପରିବର୍ତନ ଘଟିସାରିଛି । ସେ ସମୟରେ ଏହା କିପରି ଖେଳାଯିବ ଆମେ ଭଲ ଭାବେ ଜାଣି ନ ଥିଲୁ ତଥାପି ଟାଇଟଲ ଜିତିଥିଲୁ ବୋଲି ସେ କହିଛନ୍ତି । ୨୦୦୭ପରଠାରୁ ଏହି ଫର୍ମାଟ ପ୍ରତି ଯୁବ ପିଢ଼ୀ ବେଶ ଆକୃଷ୍ଟ ହୋଇଥିଲେ । ଆମେ ଏକ ବେଂଚମାର୍କ ସ୍ଥାପନ କରିଥିଲୁ । ଲିଜେଣ୍ଡସ ଲିଗ ଖେଳୁଥିବା ଅନେକ ଖେଳାଳି ଆନ୍ତର୍ଜାତୀୟସ୍ତରରେ ନିଜ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ପରିଣତ ବୟସରେ ସେମାନେ କ୍ରିକେଟ ପ୍ରତି କେତେ ଉତ୍ସର୍ଗୀକୃତ ଥିଲେ ତାହା ଏହି ଲିଗରୁ ପ୍ରମାଣିତ ହେଉଛୁ ।

ଏବେ ବି ଆମେ ଫିଟ ରହିବା ପାଇଁ କଠିନ ପରିଶ୍ରମ କରୁଛୁ । ଓଡିଶାରେ ଏକ ଦଳ ଗଠନ କରିବା ପ୍ରଶଂସକମାନଙ୍କୁ ବେଶ ଉତ୍ସାହିତ କରିଛି । କୋଣାର୍କ ସୂର୍ଯ୍ୟାସ ଓଡିଶା ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ । ଏହାର ମ୍ୟାନେଜମେଂଟ ଓଡିଶାରୁ ଏକ ଜାତୀୟସ୍ତରୀୟ ଦଳ ଗଠନ କରିବା ପ୍ରଶଂସନୀୟ ପଦକ୍ଷେପ ବୋଲି ୟୁସୁଫ କହିଛନ୍ତି । ପ୍ରତ୍ୟେକ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳକୁ ଜିତାଇବା ପାଇଁ ଉଦ୍ୟମ କରିବୁ ବୋଲି ଏହି ହାର୍ଡ ହିଟରଜଣଙ୍କ କହିଛନ୍ତି ।

Leave A Reply

Your email address will not be published.